ପୁରୀ ସେବାୟତଙ୍କୁ ହତ୍ୟା ଯୋଜନାବଦ୍ଧ: ଏସପି

ପୁରୀ: ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯିବ ଯୋଜନାବଦ୍ଧ । ସୂଚନା ଦେଲେ ପୁରୀ ଏସପି କନୱର ବିଶାଲ ସିଂ । ମାମଲାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଅଛନ୍ତି ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବାପା, ପୁଅ କାଳିଆ ସିଂହାରୀ ଏବଂ ଦୋଳଗୋବିନ୍ଦ ସିଂହାରୀ ।

ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ବାବା ମହାପାତ୍ର, ସନ୍ଦୀପ ଜେନା, କାଳୁ, ଓ ମୁନ୍ନା ପାତ୍ର । 16ତାରିଖ ପୂର୍ବରୁ ବି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ହେଲେ ସେଥିରେ ଅଭିଯୁକ୍ତମାନେ ବିଫଳ ହୋଇଥିଲେ ବୋଲି ଏପସି କହିଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ଆଜି କୋର୍ଟ ଚାଲାଣ ପରେ ରିମାଣ୍ଡ ଆବେଦନ କରାଯିବ । ଏହାପରେ କ୍ରାଇମ୍ ସିନ୍ ରିକ୍ରିଏଟ୍ ହେବ । ଗତ ୧୬ ତାରିଖ ଦିନ ବାରବାଟୀ ଜାଗା ନିକଟରେ ବସିଥିବା ବେଳେ କିଛି ଦୁର୍ବୁତ୍ତ ହଠାତ୍ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏପସି କହିଛନ୍ତି ।