ନନ୍ଦିଘୋଷ ବ୍ୟୁରୋ : ନେପାଳ ବାରା ଜିଲ୍ଲାରେ ଫେରିଛି ସ୍ବାଭାବିକ ସ୍ଥିତି। ଜେନ ଜେଡ ଆନ୍ଦୋଳନକାରୀ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ୟୁଏମଏଲ) ମଧ୍ଯରେ ହିଂସା ସୃଷ୍ଟି ହେବା ପରେ ବାରା ଜିଲ୍ଲାରେ ଜାରି ହୋଇଥିବା କର୍ଫ୍ୟୁ ପ୍ରତ୍ୟାହାର କରିନିଆଯାଇଛି। ଫଳରେ ସିମରା ବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରିଛି। ଗତ ଦୁଇ ଦିନ ଧରି ଚାଲିଥିବା ହିଂସା ଯୋଗୁ ବାରା ଜିଲ୍ଲାରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ସିମରା ସମେତ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ସିମରା ଚୌକ ସମେତ ଅନ୍ୟାନ୍ୟ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଗତ ବୁଧବାର ହୋଇଥିବା ସଂଘର୍ଷରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହେବା ଯୋଗୁ ଜେନ ଜେଡ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଗତ ବୁଧବାର ହିଂସାରେ ଜେନ ଜେଡର ୬ ଆନ୍ଦୋଳନକାରୀ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ(ୟୁଏମଏଲ) ପକ୍ଷରୁ ଏକ ଯୁବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଗତ ବୁଧବାର ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ପରେ ଗତ ୨୦ ତାରିଖରେ ଜେନ ଜେଡ ଆନ୍ଦୋଳକାରୀ ରାସ୍ତାକୁ ଓହ୍ଲାଇବା ଯୋଗୁ ସ୍ଥିତି ବେହାଲ ହୋଇଥିଲା।

