ଭାରତରେ ଓମିକ୍ରନରେ ଦିନକୁ ସଂକ୍ରମିତ ହେବେ ୨୦ ଲକ୍ଷ !

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହୋଇପାରେ ଓମିକ୍ରନ ସଂକ୍ରମଣ । ଡେଲଟାଠାରୁ ଅଧିକ ହୋଇପାରେ ନୂଆ ଭାରିଆଣ୍ଟର ପ୍ରଭାବ । ଦେନିକ ୨୦ ଲକ୍ଷ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା କରାଯାଉଛି । ଦୁଇ ଗବେଷକ ମେହର ପାଣ୍ଡେ ଓ ସୌରଭ ଗୁପ୍ତାଙ୍କ ତଥ୍ୟ ଅନୁସାରେ, ଯଦିଓ ଦେଶରେ ଏବେ ୧୫୦୦ରୁ ଅଧିକ ସଂଖ୍ୟକ ଓମିକ୍ରନ ସଂକ୍ରମିତ ଅଛନ୍ତି, ତଥାପି ସେମାନଙ୍କ ସଂଖ୍ୟା ବାସ୍ତବରେ ୧୮ ହଜାରରୁ ଅଧିକ ହେବା ଆଶଙ୍କା ରହିଛି । ଦେଶରେ ଖୁବ୍ କମ୍ ସଂଖ୍ୟକ ଟେଷ୍ଟିଂ ହେଉଥିବାରୁ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ପଦାକୁ ଆସିପାରୁନାହିଁ ।

ଦିଲ୍ଲୀ ଓ ମୁମ୍ବାଇରେ ଥିବା ଓମିକ୍ରନ ଟେଷ୍ଟିଂ ସେଣ୍ଟରର ରିପୋର୍ଟ ଅନୁସାରେ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବାସ୍ତବରେ ଅଧିକ ହେଲାଣି । ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନର କାୟା ଅଧିକ ଶକ୍ତିଶାଳୀ । ଗତ ୩ ସପ୍ତାହ ତଳେ ମୋଟ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିବା ବେଳେ, ଗତ ସପ୍ତାହରେ ଏହି ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏବେ ଏହି ହାର ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଡେଲଟା ତୁଳନାରେ ଓମିକ୍ରନ କମ୍ ଗୁରୁତର ଅବସ୍ଥା ସୃଷ୍ଟି କରୁଛି ବୋଲି ସେମାନେ ଦର୍ଶାଇଛନ୍ତି । ମାତ୍ର ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମଣ ହାର ୫ ଗୁଣ ଅଧିକ ରହୁଛି ।

ଚିନ୍ତାଜନକ ଖବର ହେଲା, ଦ୍ବିତୀୟ ଲହର କାଳରେ ଡେଲଟା ଦ୍ବାରା ଦୈନିକ ୪ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ, ସମ୍ଭାବ୍ୟ ତୃତୀୟ ଲହର କାଳରେ ଏହି ସଂଖ୍ୟା ଦୈନିକ ୧୬ ଲକ୍ଷରୁ ୨୦ ଲକ୍ଷ ହେବା ଆଶଙ୍କା କରାଯାଉଛି । ଏହି ଦୃଷ୍ଟିରୁ ଭାରତର ସ୍ବାସ୍ଥ୍ୟ ସେବା, ଡାକ୍ତର ସଂଖ୍ୟା, ହସ୍ପିଟାଲ ଶଯ୍ୟା, ଅକ୍ସିଜେନ କ୍ଷେତ୍ରରେ ବିରାଟ ଚାପ ସୃଷ୍ଟି କରିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଡେଲଟା ସଂକ୍ରମଣ କ୍ଷେତ୍ରରେ ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ମାତ୍ର ଓମିକ୍ରନ କ୍ଷେତ୍ରରେ ୧୦୦ ରୋଗୀଙ୍କ ମଧ୍ୟରୁ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ରହିଛି । ଦ୍ବିତୀୟ ଲହରରେ ୪ ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ ୨୪ ହଜାର ଲୋକ ହସ୍ପିଟାଲ ଆଡମିଶନ ହେଉଥିଲେ । ମାତ୍ର ସମ୍ଭାବ୍ୟ ତୃତୀୟ ଲହରରେ ୨୦ ଲକ୍ଷ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ରହିଛି । ଏହା ପ୍ରବଳ ସମସ୍ୟା ସୃଷ୍ଟି କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ସଂକ୍ରମଣରୁ ସ୍ପଷ୍ଟ ହୋଇଛି ଯେ, ଓମିକ୍ରନ ସଂକ୍ରମଣର ବେଗ ଡେଲଟାଠାରୁ ଅଧିକ ଏବଂ ଡେଲଟା ସଂକ୍ରମିତଙ୍କ ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ ।

ଏପଟେ ଦେଶରେ ୩୦ ହଜାର ପାଖାପାଖି ହେଲାଣି ଦୈନିକ କରୋନା ସଂକ୍ରମଣ । ଧୀରେ ଧୀରେ ଫେରୁଛି ଲକଡାଉନ୍ । ଏକାଧିକ ରାଜ୍ୟରେ ନାଇଟ କର୍ଫ୍ୟୁ ସହିତ ଅନେକ କଟକଣା ଜାରି ହୋଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗିଡ଼ି ଗଲାଣି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୧ ହଜାର ପାର କଲାଣି । କେବଳ ମୁମ୍ବାଇରେ ଦୈନିକ ସଂକ୍ରମଣ ୮ ହଜାର ପାର କରିଛି । ସଂକ୍ରମଣରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ ମଧ୍ୟ ଅଣାୟତ ହେବାରେ ଲାଗିଛି ଓମିକ୍ରନ । ଦୃତ ଗତିରେ ମାଡ଼ି ଚାଲିଛି ନୂଆ ଭୂତାଣୁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ଫେରିଛି ଆଂଶିକ ଲକଡାଉନ । ଆଜିଠୁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଜିମ, ସୁଇମିଂ ପୁଲ୍, ସେଲୁନ । କଟକଣାରେ ଚାଲିବ ମଲ୍, ସିନେମା ହଲ । ବିବାହ ଓ ଶେଷକୃତ୍ୟରେ ବି ଲାଗିଛି କଟକଣା । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ, ବେସରକାରୀ ଅଫିସ । ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୧ ପ୍ରତିଶତ ବୃଦ୍ଧି ପାଇଛି । ନିୟମ ନମାନିଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

Leave a Reply