spot_img

Latest Posts

ଆଫଗାନିସ୍ତାନ ସ୍ଥିତି ଜଟିଳ; ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ ବୋଲି କହିଲେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନ ସ୍ଥିତି ଜଟିଳ ହୋଇପଡିଥିବା ବେଳେ ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି ।

ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ କରିଛନ୍ତି । ସାରା ବିଶ୍ବ ଆଫଗାନ୍‌ ସ୍ଥିତି ଉପରେ ନଜର ରଖିଛି । ଭାରତ ମଧ୍ୟ ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ମୋଡ୍‌ରେ ରହିଛି। ସର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି । କେତେ ଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି, ସେନେଇ ବୈଠକରେ ସୂଚନା ଦିଆଯାଇଛି ।

ଏଥିସହ ୟୁଏସ, ଋଷିଆ ଓ ଚୀନ୍‌ ପକ୍ଷରୁ ନାଗରିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମ ନେଇ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍‌ ‘ଦେବୀ ଶକ୍ତି’ ଜରିଆରେ ଭାରତୀୟ ଓ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଅଣାଯାଉଛି। ଏପର୍ଯ୍ୟନ୍ତ ୮ଶହରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଅଣାଯାଇଛି।

ଅପରପକ୍ଷେ ଦେଶ ହିତ ପାଇଁ ସରକାରଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବାକୁ କଂଗ୍ରେସ କହିଛି। ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆଫଗାନ ସହ କିପରି କୁଟନୈତିକ ସଂପର୍କ ଭଲ ରହିବ ସେନେଇ କଂଗ୍ରେସ ପ୍ରସ୍ତାବ ଦେଇଛି ।

 

Latest Posts

Don't Miss