ଭୁବନେଶ୍ୱରରେ ୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତିନି ଦିନ ଧରି ଅନୁଷ୍ଠିତ ହେବ ଶୀତଳଷ୍ଠୀ ମହୋତ୍ସବ। ଶିବାଂଶୀ ଫାଉଣ୍ଡେସନର ସଦସ୍ୟା, ପଶ୍ଚିମ ଓଡ଼ିଶାର ବୁଦ୍ଧିଜିବୀ, ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀଙ୍କ ମିଳିତ ଉଦ୍ୟମରେ ମହୋତ୍ସବ ଓ ଉଦ୍ୟୋଗ ମେଳା ଆୟୋଜିତ ହେବ। ଏ ନେଇ ଆଜି ହୋଟେଲ ଏମ୍ପାୟାର୍ସଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଜୁନ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବ। ୨ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଉଦ୍ୟୋଗୀ ମେଳାରେ ପାରମ୍ପରିକ ଓଡ଼ିଆ ପିଠାପଣା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ହସ୍ତତନ୍ତ ଓ ହସ୍ତକଳା ସହିତ ଫ୍ୟାସନ ଓ ଲାଇଫଷ୍ଟାଇଲ ସାମଗ୍ରୀ ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହେବ। ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମେଳା ଉଦଘାଟନ କରିବେ ।

ସେହିପରି ୨ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶାରଦା ନାୟକ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଙ୍କ ସମେତ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ପ୍ରତିଷ୍ଠିତ ସିନେମା ନିର୍ମାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ଓଡ଼ିଶା ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ସୁଶ୍ରୀ ଇପ୍ସିତା ସାହୁ, ଫ୍ୟାସନ ଡିଜାଇନର ଜୁବିନା ଅଲ୍ଲୀ, ମହିଳା ଉଦ୍ୟୋଗୀ ପ୍ରସନ୍ନା ପତୀ, ଏସ୍ ଏଚ୍ ଜି ନେତ୍ରୀ ସଂଯୁକ୍ତା ଭୁତିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ଉଦ୍ୟୋଗୀ ମେଳା, ସମ୍ବଲପୁରୀ ବସ୍ତ୍ରକୁ ନେଇ ଫ୍ୟାସନ ଶୋ ମଧ୍ୟ ଅୟୋଜିତ ହେବ ବୋଲି ସୂଚନା ଦିଆଯାଇଛି।