ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉତ୍ସବ ମୁଖର ଆରଡିପୀଠ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉତ୍ସବ ମୁଖର ପୀଠ। ସକାଳ ୧୦ଟାରେ ବରଧରା ଗମନ, ସଂଧ୍ଯା ୭ଟାରେ ବରାନୁଗମନ ଶୋଭାଯାତ୍ରା ହେବ। ଅପରାହ୍ଣ ୪ଟାରେ ଶ୍ରୀଜିଉଙ୍କ ରାଜରାଜେଶ୍ବର ବେଶ ହେବା ସହ ସଂଧ୍ଯା ୫ଟାରେ ଦିଅଁ ମଙ୍ଗୁଳା ନୀତି ହେବ। ଏଥିପାଇଁ ବରପିତା ଓ କନ୍ଯାପିତାଙ୍କ ଘରେ ବନ୍ଧୁପରିଜନଙ୍କର ଭିଡ ଲାଗିଛି।

ବାବା ଓ ମା ପାର୍ବତୀଙ୍କ  ମାନବୀୟ ଲିଳା ଦେଖିବାକୁ ସମସ୍ତେ ଉତ୍ସାହିତ । ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ଯଭୋଗ ଲାଗି କରାଯିବ । ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଲାଗି ହେବା ପରେ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀଙ୍କ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିବେ।

ଏହି ଶୋଭାଯାତ୍ରାରେ ରାଜ୍ଯରୁ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଘଣ୍ଟବାଦ୍ଯ ଓ ସଂକିର୍ତ୍ତନ ମଣ୍ଡଳୀଙ୍କ ନୃତ୍ଯରେ ମୁଖରିତ ହେବ ଶୋଭାଯାତ୍ରା।  ସଂଧ୍ଯାରେ ବରାନୁଗମନ ଶୋଭାଯାତ୍ରାରେ କଳାହାଣ୍ଡିର କଟାପା ସହ ଢେଙ୍କାନାଳର ଦୁଲଦୁଲି ବାଦ୍ଯ କଲିକତାର ମୟୁରଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯଙ୍କ ସହ ପ୍ରାୟ ୩୫ପ୍ରକାର ପାରମ୍ପରିକ ବାଦ୍ଯ ସହ ନୃତ୍ଯଶିଳ୍ପି ଯୋଗେ ଦେବେ।