ସମ୍ବଲପୁରରେ ନିରାଡମ୍ବରରେ ହେବ ଶୀତଳଷଷ୍ଠୀ, ଲିଙ୍ଗରାଜଙ୍କଠାରେ ମାତ୍ର ୭ ଜଣ ସେବାୟତ କରିବେ ନୀତିକାନ୍ତି…

ସମ୍ବଲପୁର: ଲକ୍‌ଡାଉନ୍‌ ଫିକା କରିଦେଲା ଶୀତଳଷଷ୍ଠୀ ଯାତ୍ରା ! ସମ୍ବଲପୁରର ପ୍ରସିଦ୍ଧ ଶୈବପିଠରେ ପ୍ରତିବର୍ଷ ଧୁମ୍‌ ଧାମ୍‌ରେ ପାଳନ ହୋଇଥାଏ ଶୀତଳଷଷ୍ଠୀ । ହେଲେ ଚଳିତ ଥର ଲକ୍‌ଡାଉନ୍‌ ଯୋଗୁଁ କେବଳ ବିଧିମୁତାବକ ଏହି ପର୍ବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ଶୀତଳଷଷ୍ଠୀ ପାଇଁ ପତରପେଣ୍ଡି ଉତ୍ସବ ମଧ୍ୟ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇସାରିଛି । ତେବେ ଶୀତଳଷଷ୍ଠୀ ଭଳି ପର୍ବରେ ଯେଉଁଠି ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା, ଚଳିତ ଥର ସେଠାରେ ଭକ୍ତଙ୍କୁ ଆସିବାକୁ ମନା କରାଯାଇଛି । କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଲକ୍‌ଡାଉନ୍‌ ସ୍ଥିତି ଦେଇ ପୁରା ଦେଶ ଗତି କରୁଛି । ତେଣୁ ଜନଗହଳି ପାଇଁ ସମ୍ପୂର୍ଣ୍ଣ ବାରଣ ରହିଛି । ଲକ୍‌ଡାଉନ୍‌ ଓ ସାମାଜିକ ଦୂରତା ନିୟମକୁ ମାନି ଶୀତଳଷଷ୍ଠୀ ଅନୁଷ୍ଠିତ ହେବ ।

ମଙ୍ଗଳବାର ମଧ୍ୟରାତ୍ରୀରେ ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠଗୁଡ଼ିକରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ବିଧି ରକ୍ଷା ପାଇଁ ନିରାଡମ୍ବର ଭାବେ ଦେବ ବିବାହ ନୀତି କରାଯାଉଛି । ମଧ୍ୟ ରାତ୍ରିରେ ନୀତିକାନ୍ତି ଅନୁଯାୟୀ ଦେବ ଦମ୍ପତିଙ୍କ ବିବାହ କରାଯିବ । ମଙ୍ଗଳବାର ସକାଳେ ଗଣ୍ଠାଳ ଫିଟା କରାଯାଇ ଗତବର୍ଷର ମାତାପିତାଙ୍କଠାରୁ ଚଳିତ ବର୍ଷର ମାତାପିତାଙ୍କ ଘରକୁ ପାର୍ବତୀ ଯିବେ । ଏହାପରେ ମହିଳାଙ୍କ ଦ୍ଵାରା ପାର୍ବତୀଙ୍କ ହଳଦୀ ଓ ତୈଳାଭିଷେକ କରାଯିବ । ମଧ୍ୟରାତ୍ରୀ ପରେ ବ୍ରାହ୍ମ ମୁହୁର୍ତ୍ତରେ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହେବ ।

ସେପଟେ ଭୁବନେଶ୍ୱରରେ ମଧ୍ୟ ପ୍ରଭୂ ଲିଙ୍ଗରାଜଙ୍କ ଶୀତଳଶଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ମୋଟ ୭ ଜଣ ସେବାୟତଙ୍କ ଉପସ୍ଥିତିରେ ନୀତି ସମ୍ପନ୍ନ ହେବ । ସେବାୟତଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍‌ ଲକ୍ଷଣଥିବା ସେବାୟତଙ୍କୁ କାର୍ଯ୍ୟରୁ ବାଦ୍‌ ଦିଆଯିବ । ବାଣ, ରୋଷଣୀ ଓ ଶୋଭାଯାତ୍ରା ବିନା ପାଳିତ ହେବ ଯାତ୍ରା । ଯେଉଁ ସେବାୟତ ନୀତି ଦାୟିତ୍ୱରେ ଥିବେ ସେମାନେ ହିଁ ନୀତି ପାଳନ ବେଳେ ସାମିଲ ହେବେ ।

Leave a Reply