ଦେବ ବିବାହ ସମ୍ପନ୍ନ: ଆଜି ଯୁଗଳ ଦର୍ଶନ

ସମ୍ୱଲପୁର/ଭୁବନେଶ୍ୱର: ସରିଲା ଦେବ ବିବାହ । ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଲଗ୍ନ ଅନୁସାରେ ରାତି ୩ଟାରେ ହେଲା ଦେବ ବିବାହ । ଆଜି ଯୁଗଳ ଦର୍ଶନ  । କୋଭିଡ କଟକଣା ଭିତରେ ଚାଲିଛି ନୀତିକାନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସୀମିତ ସେବାୟତଙ୍କୁ ନେଇ ସମ୍ପନ୍ନ ହୋଇଛି ବିବାହ । ନିରାଡମ୍ବର ଭାବେ ସମ୍ବଲପୁରର ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର, ଝାଡୁଆପଡ଼ାର ବାବା ଲୋକନାଥ ଓ ମୁଦିପଡ଼ାର ବାବା ଯଜ୍ଞେଶ୍ୱରଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

ଅପରପକ୍ଷରେ ମହାଦେବ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଦେବ ଦମ୍ପତି ମହାଦେବ ଲିଙ୍ଗରାଜ ଓ ମା’ ଗୌରୀଙ୍କ ବିବାହ ପାଇଁ  ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । କରୋନା ଯୋଗୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି ମହାଦେବଙ୍କ ବିବାହ ଉତ୍ସବ। ଗାଇଡଲାଇନ ଅନୁସାରେ ୨୫ଜଣ ସେବାୟତରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ ମାନବୀୟ ଢଙ୍ଗରେ ବଡ଼ସିଂହାର ବେଶରେ ବାହାରି ମା’ ଗୌରୀଙ୍କୁ କେଦାରଗୌରୀ ଠାରେ ବିବାହ କରିଛନ୍ତି । ବରଯାତ୍ରୀ ସହ ଟ୍ରିସାଖା , ମଶାଲ, କଳା ଛତା, ଧଳା ଛତା ଓ ଘଣ୍ଟ ଘଣ୍ଟି ତୂରୀ ନାଦରେ ବିବାହ ବେଦିରେ  ପହଞ୍ଚିଥିଲେ ବାବା ଲିଙ୍ଗରାଜ । ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ବାଟ ବରଣି କରାଯାଇ ବିବାହ ବେଦୀକୁ ନିଆଯାଇଥିଲା । ପରେ ସମସ୍ତ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ କରାଯାଇଛି ।

Leave a Reply