ମଙ୍ଗଳବାର ଶିବ ବିବାହ, କଟକଣାରେ ବିବାହ କରିବେ ଦେବଦମ୍ପତି
ଭଦ୍ରକ: ଆସନ୍ତାକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ । ଏଥିପାଇଁ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସେପଟେ ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କଣ୍ଟାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ ନିଜ ଘରକୁ ନେଇ ଲୋକାଚାରରେ ୭ଜଣ ମହିଳା ହଳଦୀ, ଆଦିରେ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।
ଏପଟେ ମନ୍ଦିରରେ ମଣିବାବାଙ୍କର ମଙ୍ଗଳ ଆଳତୀ, ଘର୍ଷଣଲାଗି ନୀତି ସରିବା ପରେ ହଳଦୀ, ଗନ୍ଧମଳା ଓ ସୁବାଷିତ ଜଳରେ ମଙ୍ଗୁଳା କାର୍ଯ୍ୟ ସେବାୟତମାନେ କରିବାର ବିଧି ରହିଛି। ବିବାହ ନିମନ୍ତେ ଲଗ୍ନଚିଟାଉ ଥାଳ ଉଠା କାର୍ଯ୍ୟ ବରପିତା ଓ କଣ୍ଟାପିତା ପକ୍ଷରୁ ସମ୍ପନ୍ନ ହୋଇଛି। ତାହାସହ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି।
ହେଲେ ମହାମାରୀ କରୋନାର ଭୟଭୟତାକୁ ନେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜିବନି ବାଜା କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରୀ କରିଛି ଜିଲା ପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।