ସରକାର ଭାଙ୍ଗିବାକୁ ତିସ୍ତାଙ୍କୁ ସୋନିଆ ଦେଇଥିଲେ ୩୦ ଲକ୍ଷ !

1 min read

ଅହମ୍ମଦାବାଦ: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାର ଯାଞ୍ଚ କରୁଥିବା SIT ସାମାଜିକ କର୍ମୀ ତିସ୍ତା ସିତଲୱାଡଙ୍କୁ ନେଇ କରିଛନ୍ତି ବଡ ଖୁଲାସା  । ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଭୁଲ ଦର୍ଶାଇ ସରକାର ଭାଙ୍ଗିବା ଚକ୍ରାନ୍ତରେ ସାମିଲ ଥିଲେ ତିସ୍ତା  । ଏଥିପାଇଁ ତାଙ୍କୁ ସହଯୋଗ କରିଥିଲେ ପୂର୍ବତନ ଡିଜିପି ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟ ।  ଯେଉଁଥିରେ ତିସ୍ତା କଂଗ୍ରେସ ଅଧ୍ୟକ୍ଷାଙ୍କ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ଠାରୁ ଦୁଇ ଦୁଇ ଥର ଟଙ୍କା ନେଇଥିବା କହିଛି SIT।

ଗୁଜୁରାଟର ପ୍ରତିଛବି ଖରାପ କରିବା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ସହ ବୈଠକ କରି ପ୍ରଥମେ ୫ ଲକ୍ଷ ନେଇଥିଲେ ତିସ୍ତା  । ଏହାପରେ ଗୁଜୁରାଟ ଉଦ୍ଧାର ସମିତି ନାଁରେ ପଟେଲଙ୍କ ଠୁ ସେ ନେଇଥିଲେ ୨୫ ଲକ୍ଷ । ଗୋଧରା ଟ୍ରେନ ପୋଡିର ଏକ ସପ୍ତାହ ମଧ୍ୟରେ ତିସ୍ତା ଉଦ୍ଧାର ଶିବିରରେ ପହଞ୍ଚି ବିଭିନ୍ନ ରାଜନେତାଙ୍କୁ ଭେଟିଥିଲେ  । ଏହାପରେ ଦଙ୍ଗାର ୪ ମାସ ପରେ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ସହ ଦିଲ୍ଲୀ ଯାଇ ସେ ପଟେଲଙ୍କୁ ଭେଟିଥିଲେ ।

ଭୁଲ ପେପର ତିଆରି କରି ଆଇନ ସହ ଖେଳିବାକୁ ପ୍ରୟାସ ଅଭିଯୋଗରେ ତିସ୍ତା ଓ ପୂର୍ବତନ ଆଇପିଏସ ଅଧିକାରୀ ଶ୍ରୀକୁମାର ଗିରଫ ହୋଇଥିଲେ । ଆଜି ଜାମିନ ଆବେଦନର ଶୁଣାଣି ସମୟରେ ମାମଲାର ଯାଞ୍ଚ କରୁଥିବା SIT ହଲଫନାମା ଦାଖଲ କରିଛି  । ତିସ୍ତାଙ୍କ ବିରୁଦ୍ଧରେ ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ଥିବା SIT କହିଛି । ତିସ୍ତାଙ୍କ ଜାମିନ ଆବେଦନ ନାମଞ୍ଜୁର ପାଇଁ SIT କୋର୍ଟରେ ଏହି ହଲଫନାମା ଦାଖଲ କରିଛି ।

ତିସ୍ତାଙ୍କୁ ବ୍ୟବହାର କରି ଗୁଜୁରାଟ ଓ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଇଥିଲା । ତାଙ୍କୁ ଜାମିନ ମିଳିଲେ ପ୍ରମାଣ ନଷ୍ଟ କରିବା ସହ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି SIT ଅନୁମାନ କରିଛି । ତିସ୍ତାଙ୍କ ବିରୋଧରେ ତଦନ୍ତ କରୁଛି SIT  ।