କଟକ ଶିଶୁ ଭବନରେ ବ୍ୟାପକ ଅବ୍ୟବସ୍ଥା, ସିକ୍ୟୁରିଟି ସହାୟତାରେ ମୋବାଇଲ ଲାଇଟରେ ହେଉଛି ଚିକିତ୍ସା

କଟକ : ଲାଇଟ୍ ବ୍ୟବସ୍ଥା ନାହିଁ ନା ଡାକ୍ତରଙ୍କ ଅବହେଳା ? ମାଇନର ଅପରେସନ ଥିଏଟର ଥାଇ କେମିତି ଛୋଟ ପିଲାର ହେଲା ମୁଣ୍ଡ ଷ୍ଟିଚ୍? କଟକ ଶିଶୁ ଭବନରେ ଏଭଳି ଦୃଶ୍ୟ ଚାରିଆଡ଼େ ଭାଇରାଲ ପରେ ଏବେ ଶିଶୁଭବନ ଓ ସରକାରଙ୍କୁ ଚାରିଆଡ଼ୁ ଘେରିଲେଣି ଲୋକେ । ସିକ୍ୟୁରିଟି ଗାର୍ଡ଼ ଟର୍ଚ୍ଚ ଲାଇଟ ପକାଇଛନ୍ତି । ଆଉ ଡାକ୍ତର ଜଣେ ଆଘାତ ଲାଗିଥିବା ପିଲାଟି ମୁଣ୍ଡକୁ ସିଲେଇ କରୁଛନ୍ତି । କୋଟି କୋଟି ଟଙ୍କା ବ୍ଯୟରେ ଶିଶୁ ଭବନର ନୂତନ ବିଲଡିଂ ତିଆରି ହୋଇଛି । ଚିକିତ୍ସାଳୟରେ ସମସ୍ତ ଆଧୁନିକ ସୁବିଧା । ହେଲେ କେଉଁ ପରିସ୍ଥିତିରେ ଡାକ୍ତର କାଜୁଆଲିଟିରେ ରୋଗୀର ଏପରି ଚିକିତ୍ସା କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।
ଗତକାଲି ରାତି ପ୍ରାୟ ୮ଟା ରେ ଜଣେ ଦୁଇବର୍ଷର ଶିଶୁ ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲା । କାଜୁଆଲଟିରେ ଥିବା ଡାକ୍ତର ମାଇନର ଓଟି ରେ ଷ୍ଟିଚ କରିବା ବଦଳରେ ଟର୍ଚ୍ଚା ଲାଇଟରେ ଡ୍ରେସିଂରୁମରେ ଷ୍ଟିଚ୍ କରିଥିଲେ । ଏହାର ଭିଡିଓ ମଧ୍ୟ କରାଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟ ଗଠନ କରିଛନ୍ତି ଅଧୀକ୍ଷକ । ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।