SBI ଲକରରୁ ଡିଜିପି ଭଉଣୀଙ୍କ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଗଲା କୁଆଡ଼େ ?
1 min read
ବରଗଡ଼: ଲକରରୁ ଗହଣା ଚୋରି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରୁ ଗହଣା ଚୋରି ନେଇ ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ଭଉଣୀ । ଆନ୍ଧ୍ରପ୍ରଦେଶ ପୋଲିସ ଡିଜି ତୁଷାରଦିତ୍ୟ ତ୍ରିପାଠୀଙ୍କ ଭଉଣୀ ସ୍ନିଗ୍ଧା ତ୍ରିପାଠୀ ଏନେଇ ବରଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ସ୍ନିଗ୍ଧାଙ୍କ ଅନୁସାରେ, ସେ ୨୦୦୧ରୁ ଏସବିଆଇ ବରଗଡ଼ ମୁଖ୍ୟ ଶାଖାରେ ଲକର ପରିଚାଳନା କରୁଛନ୍ତି ।
ଶେଷ ଥର ଲାଗି ସ୍ନିଗ୍ଧା ୨୦୧୬ ଜୁନ୍ ମାସରେ ଲକର ଦେଖିଖିଲେ । ସେତେବେଳେ ସବୁକିଛି ଗହଣା ଲକରରେ ଥିଲା । କିନ୍ତୁ, ବୁଧବାର ଲକର ଖୋଲିବା ବେଳଖୁ ଗହଣା ନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଲକର ଖୋଲିବା ବେଳେ ତାଙ୍କ ସହ ଯାଇଥିବା ବ୍ୟାଙ୍କ ଅଧିକାରୀ ହଡ଼ବଡ଼େଇ ଯାଇଥିବା ସ୍ନିଗ୍ଧା ଅଭିଯୋଗ କରିଛନ୍ତି । ସେ ଏନେଇ ବରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବରଗଡ ଏସବିଆଇ ମୁଖ୍ୟ ଶାଖାର ଲକର ନମ୍ବର ୨୮୨ରେ ସ୍ନିଗ୍ଧା ୮ଟି ସୁନାହାର, ୨ଟି ସୁନା ଚେନ୍, ୧୨ଟି ମୁଦି, ୨ଟି ଖଡ଼ୁ, ୬ଟି ଚୁଡ଼ି, ୧୦ ଯୋଡ଼ା କାନଫୁଲ, ଏକ ଲକେଟ, ଗୋଟିଏ ସୁନା ଟିକା, ୪ଟି ରୂପା ପାଉଞ୍ଜି, ୧୦ଟି ଗୋଡ଼ ମୁଦି, ଦୁଇ ଯୋଡ଼ା ରୂପା ବ୍ରେସଲେଟ୍ ରଖିଥିଲେ । ଯାହାକି ଏବେ ନାହିଁ । ଏସବୁର ଆନୁମାନିକ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ ବୋଲି ସେ ଅଭିଯୋଗ କରିଛନ୍ତି ।
ସ୍ନିଗ୍ଧାଙ୍କ ଅଭିଯୋଗ ଉପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି । ବ୍ୟାଙ୍କ ମ୍ୟାନେଜରଙ୍କ ହିସାବରେ- ଲକର ଉପରେ କେବଳ ଆକାଉଣ୍ଟଧାରୀଙ୍କ ଅଧିକାର ରହିଛି । କାରଣ ଚାବି ତାଙ୍କ ପାଖରେ । ଲକରରେ ସେ କଣ ରଖିଲେ, ନେଲେ… ସେ ବାବଦରେ ବ୍ୟାଙ୍କ ପାଖରେ ସୂଚନା ନାହିଁ । ବ୍ୟାଙ୍କର ମାଷ୍ଟର କି ଓ ତାଙ୍କ ପାଖରେ ଥିବା ଚାବି ମିଶିଲେ ହିଁ ଲକର୍ ଖୋଲିଥାଏ । ପୋଲିସ ତଦନ୍ତ କରୁଛି, ତଦନ୍ତ ପରେ ସତ ଜଣାପଡ଼ିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।