ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ସିସୋଦିଆ

1 min read

ନୂଆଦିଲ୍ଲୀ: ବିଜେପିର ଡାର୍ଟି ପଲିଟିକ୍ସ ଯୋଗୁଁ ଫସିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ଧରି ଜେରା ପରେ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଗତ ରାତିରେ ସେ ସିବିଆଇ କାର୍ଯ୍ୟାଳୟରେ ଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ମନୀଷଙ୍କ ଗିରଫ ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ  । ବିଜେପି ଦିଲ୍ଲୀ ସରକାରଙ୍କ ପ୍ରତି ଇର୍ଷାପରାୟଣ ହୋଇପଡ଼ିଛି । ଦିଲ୍ଲୀର ବିକାଶ ମଡେଲ ଦେଖି ସହିପାରୁନି ବିଜେପି । ଏଥିରେ ବାଧା ଆଣିବା ପାଇଁ ବିଜେପି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି  ।

ସେପଟେ ଗିରଫ ପ୍ରତିବାଦରେ ସିବିଆଇ କାର୍ଯ୍ୟାଳୟ ଆଗରେ ଆପ କର୍ମୀ ହଙ୍ଗାମା କରିଛନ୍ତି । ୟୁପିରେ ଆଜି ପ୍ରତି ଜିଲ୍ଲାରେ ବିକ୍ଷୋଭ କରିବ ଆମ ଆଦମୀ ପାର୍ଟି । ଗତକାଲି ପଚରାଉଚରା ବେଳେ ଦଳ ପକ୍ଷରୁ ସନ୍ଦେହ କରାଯାଇଥିଲା  ଯେ ମନୀଷଙ୍କୁ ଗିରଫ କରାଯାଇପାରେ । ଏଭଳି ଗିରଫକୁ ଦଳ ପକ୍ଷରୁ ସମାଲୋଚନା କରାଯାଇଥିବା ବେଳେ ବିଜେପି ପକ୍ଷରୁ ମିଛରେ ଫଶାଇ ଦିଆଯାଇଛି ବୋଲି ଆପ୍ କହିଛି । ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ । ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ।