କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହେଲେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର

ଭୁବନେଶ୍ୱର: ସାପ୍ତାହିକ ସମ୍ବାଦପତ୍ର ଚିରସନ୍ଧାନ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ମର୍ଯ୍ୟାଦା ଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ବିଶିଷ୍ଟ ଲେଖକ ତ୍ରିନାଥ ନାୟକଙ୍କୁ ଭଞ୍ଜ ପ୍ରତିଭା ସମ୍ମାନ, ସମାଜସେବୀ ଆଶାଲତା ଦାଶ, ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ଗବେଶିକା ଡ଼ଃ କବିତା ମିଶ୍ର ଓ କବୟିତ୍ରୀ ଦିପ୍ତୀ ମହାନ୍ତିଙ୍କୁ ସନ୍ଧାନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଡ଼ଃ ପ୍ରଶାନ୍ତ କୁମାର ନନ୍ଦ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଏଥିରେ ଆୟୋଜକ ତଥା ଚିରସନ୍ଧାନର ସମ୍ପାଦକ ଡ଼ଃ ପାର୍ଥସାରଥୀ ଅଜୟ ବାରିକ ସଭାପତିତ୍ୱ କରିଥିବା ବେଳେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଓ ଓଡ଼ିଶା ସଂସ୍କୃତି ଓ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ ଯୋଗ ଦେଇଥିଲେ ।