ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିରୋମଣୀ ଅକାଳି ଦଳ

ଅମ୍ରିତସର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି  । ଓଡିଶା, ଆନ୍ଧ୍ରପ୍ରଦେଶ, ବିହାର ପରେ ଏବେ ପଞ୍ଜାବର ସିରୋମଣୀ ଅକାଳୀ ଦଳର ସମର୍ଥନ ଦ୍ରୌପଦୀଙ୍କୁ ମିଳିଛି । ଯେଉଁ ଉଦ୍ଦେଶ୍ୟରେ ବିଜେପି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଥିଲା ତାହା ଧୀରେ ଧୀରେ ପୂରଣ ହେଉଥିବା ଦେଖାଯାଇଛି । ଶିରୋମଣୀ ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ବାଦଲ ସମର୍ଥନ ଦେବା ନେଇ ଗୁରୁବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜି ଦୀର୍ଘ ସମୟ ଦଳୀୟ ବୈଠକ ପରେ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ସର୍ବସମ୍ମତି କ୍ରମେ ସମ୍ମତି ମିଳିଥିଲା । ରାଜନୈତିକ ବିଚାରକୁ ଅଲଗା ରଖି ମୁର୍ମୁଙ୍କୁ ସମର୍ଥନ ଦେବା କଥା କହିଛନ୍ତି ସୁଖବୀର ବାଦଲ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦ୍ରୌପଦୀ ମୁର୍ମୁ ତାଙ୍କୁ ସମର୍ଥନ ଦେବାକୁ ଫୋନ୍ କରି ଅନୁରୋଧ କରିଥିଲେ ।

ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ନଦେବା ବିଷୟରେ ସୁଖବୀର କହିଛନ୍ତି, କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଆମେ ସମର୍ଥନ ଦେବୁନାହିଁ  । କଂଗ୍ରେସ ହେଉଛି ଶିଖ୍ ବିରୋଧୀ ଦଳ ଏହି କାରଣରୁ ସିହ୍ନାଙ୍କୁ ସମର୍ଥନ ନଦେଇ ମୁର୍ମୁଙ୍କୁ ଦେଉଛୁ  । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଗତ ବର୍ଷ ଶିରୋମଣୀ ଅକାଳି ଦଳ ଏନଡିଏ ମେଣ୍ଟ ଠାରୁ ଅଲଗା ହୋଇଥିଲା  । ସେବେଠୁ ବିଜେପିକୁ ବିରୋଧ କରି ଆସୁଥିଲା ଦଳ । ଦଳ ନଦେଖି ପ୍ରାର୍ଥୀ ଦେଖି ସମର୍ଥନ କରୁଥିବା କଥା ଦଳ କହିଛି  । ସୂଚନାଥାଉକି ଆସନ୍ତା ୧୮ ତାରିଖେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ  ।