ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିବାଦ: ଶିରିଡି ବନ୍ଦ, ଖୋଲା ରହିଛି ମନ୍ଦିର

ମୁମ୍ୱାଇ: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ବୟାନକୁ ନେଇ ପ୍ରତିବାଦ । ରବିବାର ବନ୍ଦ ରହିଛି ଶିରିଡି । ଏହାସତ୍ତ୍ୱେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି । ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ଶିରିଡି ବନ୍ଦ ପାଇଁ ଡାକରା ଦେଇଥିଲେ ଶିରିଡି ବାସୀ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଥରୀ ଗାଁକୁ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୨୦୧୮ରେ ପଥରୀ ଗାଁକୁ ବାବା ଜନ୍ମସ୍ଥାନ ବୋଲି କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଠାକ୍‌ରେ ଜନ୍ମସ୍ଥାନ ପଥରୀର ବିକାଶ ନେଇ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଏଭଳି ବୟାନ ପରଠୁ ଦେଖାଦେଇଛି ବିବାଦ । ଅନିଶ୍ଚିତକାଳ ଯାଏଁ ଶିରିଡି ବନ୍ଦ ପାଇଁ ଡାକରା ଦେଇଛନ୍ତି ଶିରିଡି ବାସୀ । ବନ୍ଦ ଡାକରା ଦେଇଥିବା ଲୋକଙ୍କ କହିବାହେଲା ଯେ, ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ସମ୍ପର୍କରେ କେବେ କେଉଁଠି ଚର୍ଚ୍ଚା କରିନାହାନ୍ତି । ଏଭଳି କି ସାଇ ଚରିତ୍ରରେ ମଧ୍ୟ ଏ ନେଇ କିଛି ଉଲ୍ଲେଖ ନଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି ।

ଅପରପକ୍ଷରେ ସାଇ ମନ୍ଦିର ପୂର୍ବ ଟ୍ରଷ୍ଟି ଅଶୋକ ଖାମ୍ୱେକାରଙ୍କ କହିବା ହେଲା ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ନେଇ କିଛି କହିନାହାନ୍ତି । ସେ ସର୍ବଧର୍ମ ସମାନତାର ପ୍ରତୀକ । ଉଦ୍ଧବ ଠାକ୍‌ରେଙ୍କୁ ଅନ୍ୟମାନଙ୍କ ଦ୍ୱାରା ଭୁଲ୍‌ ତଥ୍ୟ ଦିଆଯାଇଛି । ଏଥି ସହିତ ତାଙ୍କୁ ସାଇ ସତ୍ ଚରିତ୍ରର ଅଧ୍ୟୟନ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ରେ ସମାନ ବୟାନ ରଖିଥିଲେ ।

ସାଇ ବାବା ସମାଧି ଶତାଦ୍ଧି ସମାରୋହର ଉଦ୍‌ଘାଟନ ଅବସରରେ ସେ ଏହା କହିଥିଲେ । ସେ ମଧ୍ୟ ପଥରୀର ବିକାଶ ନେଇ କାମ କରିବେ ବୋଲି କହିଥିଲେ । ଆଉ ସେତେବେଳେ ମଧ୍ୟ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା ।

Leave a Reply