ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ବଢୁଛି ଭାରତ- ପାକିସ୍ତାନ ଭିତରେ ଉତ୍ତେଜନା । ପାକିସ୍ତାନ ପକ୍ଷରୁ ସୀମାରେ ଜାରି ରହିଛି ଗୁଳି ବର୍ଷା । ମଧ୍ୟରାତ୍ରୀରୁ ଭାରତର ଅଲଗା ଅଲଗା ସ୍ଥାନରେ ପାକିସ୍ତାନ ମିସାଇଲ ଆଟାକ୍ କରୁଛି, ହେଲେ ଏହାର କଡ଼ା ଜବାବ ଦେଇଛି ଭାରତ ଏବଂ ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଛି । ତେବେ ଏହାରି ମଧ୍ୟରେ ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଏକ ଏୟାର ଚେତାବନୀ ଜାରି କରାଯାଇଛି। ଶୁକ୍ରବାର ସକାଳେ ଚଣ୍ଡୀଗଡ଼ରେ ସାଇରନର ଶବ୍ଦ ସାରା ସହରରେ ପ୍ରତିଧ୍ୱନିତ ହୋଇଥିଲା, ଯାହା ପାକିସ୍ତାନ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ସୂଚାଇଛି। ଭାରତୀୟ ବାୟୁସେନା ଦ୍ୱାରା ଜାରି କରାଯାଇଥିବା ସାଇରନ ଯୋଗେ ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଖୋଲା ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଏହି ଚେତାବନୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ଆସିଛି। ଗତ ରାତିରେ ପାକିସ୍ତାନ ଦ୍ୱାରା ଜମ୍ମୁ, ପଠାନକୋଟ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଡ୍ରୋନ ଓ ମିସାଇଲ ଆକ୍ରମଣର ଚେଷ୍ଟା କରାଯାଇଥିଲା। ତେବେ, ଭାରତୀୟ ସଶସ୍ତ୍ର ବାହିନୀର ତତ୍ପରତା ଏବଂ S-400 ଏୟାର ଡିଫେନ୍ସ ସିଷ୍ଟମର ସହାୟତାରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ବିଫଳ କରାଯାଇଛି।
ସୂଚନା ଅନୁଯାୟୀ, ପାକିସ୍ତାନ ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ନିୟନ୍ତ୍ରଣ ରେଖା (LoC) ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଏକାଧିକ ଯୁଦ୍ଧବିରତି ଉଲ୍ଲଂଘନ (CFVs) କରିଥିଲା। ଏହାର ଜବାବରେ ଭାରତୀୟ ସେନା କାମିକାଜେ ଡ୍ରୋନ ବ୍ୟବହାର କରି ଲାହୋରରେ ପାକିସ୍ତାନର ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଛି।
ଚଣ୍ଡୀଗଡ଼ରେ ଜାରି ହୋଇଥିବା ଏହି ଚେତାବନୀ ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛନ୍ତି। ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନରେ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

