୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

SINGLE WINDOW CLEARS TEN NEW INVESTMENT PROPOSALS OF WORTH RS. 2171.82 CR

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏଥିରେ ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଯାହାକି ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ।

ପ୍ରକଳ୍ପ ଅନୁମୋଦନ ସହ ଜମି ଓ ଜଳର ଆବଶ୍ୟକତାକୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବ ଇଡକୋକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁମୋଦିତ ପ୍ରକଳ୍ପ ଭିତରେ ସିମେଣ୍ଟ ଗ୍ରାଇଣ୍ଡିଂ, ଏଥାନଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, କୋଇଲା, ସୌରଶକ୍ତି ରହିଛି ।

ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।  ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ ।

ସୋନପୁରରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ ୧୫୭ ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ୱାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରା.ଲି । ଏଥିରେ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ ୨୨୪ ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।

Leave a Reply