୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିକାଶରେ ସ୍ବର୍ଣ୍ଣିମ ଯୁଗ । ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ । ମୋଟ୍‌ ୩ ହଜାର ୬ ଶହ ୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ । ଏହାଦ୍ବାରା ପ୍ରାୟ ୧୩ ହଜାର ୬ ଶହ ୬୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଏହା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ହଂକଂର ପୋଷାକ ନିର୍ମାତା “ଏପିକ୍ ଗ୍ରୁପ୍” ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯାଉଛି ।

“ଏପିକ୍ ଗ୍ରୁପ୍” ଗ୍ରୁପର ସହାୟକ ସଂସ୍ଥା “ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍” ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬ ଦଶମିକ ୮୫ କୋଟି ଟଙ୍କା ବିନିଯୋଗ କରିବ । ଖୋର୍ଦ୍ଧାରେ ୭ ହଜାର ୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରର ଉନ୍ନତି କରିବାକୁ ଯାଉଛନ୍ତି । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ ଭଳି ଅନେକ କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।

କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଏବଂ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ଯଥାକ୍ରମେ ୨୯୭ ଦଶମିକ ୬୧ କୋଟି ଟଙ୍କା ଏବଂ ୨୧୫ କୋଟି ଟଙ୍କା ବିନିଯୋଗ କରି ସୌର ଶକ୍ତି ପ୍ଲାଣ୍ଟ ଆରମ୍ଭ କରୁଛନ୍ତି । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି ।

ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ମିଳିଛି ପ୍ରୋତ୍ସାହନ । ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଞ୍ଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଇଛି । ୧୦ଟି ଜିଲ୍ଲାରେ ଏହି ସବୁ କ୍ଷେତ୍ରରେ ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।