Odisha Corona Updates: ଟେଷ୍ଟିଂ ଉପରେ ଫୋକସ୍; ଗତ ୨୪ ଘଣ୍ଟାରେ ହୋଇଛି ୫୦ ହଜାର ୯୭୯ କୋଭିଡ୍ ଟେଷ୍ଟ୍

1 min read

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୫୦ ହଜାର ୯୭୯ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ୪୩ ହଜାର ୨୧୩ଟି ଆଣ୍ଟିଜେନ ଟେଷ୍ଟ୍, ୭ ହଜାର ୬୦୬ ଆର୍ଟି-ପିସିଆର୍ ଟେଷ୍ଟ୍ ଓ ୧୬୦ଟି ଟ୍ରୁନାଟ୍ ଟେଷ୍ଟ୍ କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ କୋଭିଡ୍ ଟେଷ୍ଟିଂର ସଂଖ୍ୟା ୫୦ ହଜାର ଅତିକ୍ରମ କରୁଛି ।  ଟେଷ୍ଟିଂ ର ମାତ୍ରା ବଢିବା ହେତୁ ଅଧିକ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି । ରାଜ୍ୟର ଏବେ ହାରାହାରି ସଂକ୍ରମଣ ପାଖାପାଖି ୪ ହଜାର । ଅର୍ଥାତ୍ ଟେଷ୍ଟିଂ ତୁଳନାରେ ରାଜ୍ୟରେ ସଂକ୍ରମଣର ହାର ୮ ପ୍ରତିଶତ । ଅନ୍ୟପକ୍ଷରେ ଦେଶରେ ସଂକ୍ରମଣ ହାର ୮.୨ ପ୍ରତିଶତ । ରାଜ୍ୟ ଦେଶ ତୁଳନାରେ ଭଲ ପ୍ରଦର୍ଶନ କରୁଛି । ଏପରିକି ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଭଳି ପ୍ରମୁଖ ସଂକ୍ରମିତ ରାଜ୍ୟ ତୁଳନାରେ ଓଡ଼ିଶା କାହିଁ କେତେ ଗୁଣରେ ଭଲ ସ୍ଥିତିରେ ରହିଛି ।

ରାଜ୍ୟରେ ସଂକ୍ରମଣ ଏବେ ପୁରୀ, ଖୋର୍ଦ୍ଧା ଓ କଟକ ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେଲାଣି । ବିଏମସିର ସବୁ ଉଦ୍ୟମ ପରେ ମଧ୍ୟ କରୋନା ଉପରେ ବଡ଼ଧରଣର ନିୟନ୍ତ୍ରଣ ନଆସିବା ପରେ ରାଜ୍ୟ ସରକାର ଉଭୟ ଭୁବନେଶ୍ୱର ଓ କଟକ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ପେଶାଲ ଫୋକସ୍ ଆଣି ସ୍ଥିତି ସୁଧାରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ପୁରୀ ଜିଲ୍ଲାରେ ସ୍ଥିତି ଏବେ ସମ୍ୱେଦନଶୀଳ । କ୍ରମାଗତ ଭାବେ ପୁରୀରେ ସଂକ୍ରମଣ ବଢୁଛି, ସରକାରଙ୍କର ସ୍ପେଶାଲ୍ ଫୋକସ୍ ମଧ୍ୟରେ ପୁରୀ ନଥିଲେ ମଧ୍ୟ ଆଗ ଅପେକ୍ଷା ଟେଷ୍ଟିଂର ମାତ୍ରାକୁ ପୁରୀରେ ବଢାଯାଇଛି ।

Leave a Reply