spot_img

Latest Posts

ଶେଷ ହେବ ମରାମତି କାମ: ଖୋଲିବ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର

ଭୁବେନଶ୍ବର: ଖୋଲିବ ଲିଙ୍ଗରାଜ ମନ୍ଦିରର ସିଂହଦ୍ବାର। ଖୁବଶୀଘ୍ର ଶେଷ ହେବ ମରାମତି କାର୍ଯ୍ୟ । ୨୫ ତାରିଖ ସୁଦ୍ଧା ସିଂହଦ୍ବାର ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ।

ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ମାନସ କୁମାର ସାହୁ। ସେହିପରି ଖୁବଶୀଘ୍ର ଖୋଲିବ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଦେବୀପାଦହରା ପାର୍କ । ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ବନ୍ଦ ରହିଛି ଏହି ପାର୍କ । ପାର୍କ ସଫା ସହ ତୁରନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ। ମନ୍ଦିର ଭିତର ଓ ବାହାରର ରାସ୍ତା ନିର୍ମାଣ ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଏମସି ଓ ପୂର୍ତ୍ତ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।

ମରାମତି ପାଇଁ ସେପ୍ଟେମ୍ବର ୧୧ ତାରିଖରୁ ବନ୍ଦ ରହିଛି ଲିଙ୍ଗରାଜ ମନ୍ଦିରର ସିଂହଦ୍ବାର । ଅନ୍ୟପଟେ ହକି ବିଶ୍ବ ପୂର୍ବରୁ ଲିଙ୍ଗରାଜ ମନ୍ଦିରର ସମସ୍ତ ବାକି ଥିବା କାମକୁ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ। ଗସ୍ତ ସମୟରେ ମନ୍ଦିରର ସିଂହଦ୍ଵାର ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ଯାଇ ମନ୍ଦିର ଭିତରର ସ୍ଥିତି ଅନୁଧ୍ୟାନ କରିଥିଲେ ବିଡିଏ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀ । ନିର୍ଦ୍ଦେଶ କେତେଦୂର ପାଳନ ହେଉଛି ତାକୁ ପୁଣି ସପ୍ତାହକ ମଧ୍ୟରେ ଅନୁଧ୍ୟାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।

ପରିମଳ, ରାସ୍ତାଘାଟରେ ଯେଭଳି କୌଣସି ସମସ୍ୟା ନରୁହେ ଏବଂ ଜବରଦଖଲକୁ ଆଦୌ ପ୍ରଶୟ ନଦେବାକୁ ସ୍ପଷ୍ଟ କରିଛନ୍ତି । ବିଶ୍ୱକପ ଅବସରରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ । ସେମାନେ ଯେମିତି ଭୁବନେଶ୍ୱର ସହର ପ୍ରତି ଏକ ଭଲ ସ୍ମୃତି ନେଇ ଫେରିବେ ସେଥିପାଇଁ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯାଉଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ, ASI ଅଧିକାରୀ, ମନ୍ଦିର ପ୍ରଶାସନ, ୱାଟକୋ, ପୂର୍ତ୍ତ, ବିଏମସି ଆଦି ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତି ସମୀକ୍ଷା ହୋଇଛି ।

Latest Posts

Don't Miss