ସିଙ୍ଗର ବି ପ୍ରାକ ବାତିଲ କଲେ ରଣବୀର ଆଲାହବାଦିଆଙ୍କ ପଡକାଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁଟ୍ୟୁବର ରଣବୀର ଆଲାହବାଦିଆ ବିବାଦ ଘେରରେ ରହିଛନ୍ତି । ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ଶୋ’ରେ ଦେଇଥିବା ନିଜ ବୟାନକୁ ନେଇ ରଣବୀରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ଏହାକୁ ନେଇ ରଣବୀର କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ନିଜ ବୟାନର ପ୍ରଭାବ ରଣବୀରଙ୍କ କାମ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ନିଜର ପଡକାଷ୍ଟ ପାଇଁ ବେଶ ଜଣାଶୁଣା ଥିବା ରଣବୀର କ୍ଷମା ମାଗିବା ପରେ ବି ଗେଷ୍ଟ ତାଙ୍କର ଶୋ’କୁ ଆସିବାକୁ ମନା କରୁଥିବା ଦେଖାଯାଇଛି ।
ଏହି କ୍ରମରେ ସିଙ୍ଗର ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଆସିବା ପାଇଁ ମନା କରିଦେଇଛନ୍ତି । ଏକ ଭିଡିଓ ଶେୟାର କରି ଗାୟକ ଏନେଇ ସୂଚନା ଦେଇଛନ୍ତି । ରଣବୀର ଧର୍ମ ଉପରେ କଥା କହୁଛନ୍ତି, ମାତ୍ର ତାଙ୍କର ଭାବନା ବହୁତ ଛୋଟ । ଆସନ୍ତା ସପ୍ତାହରେ ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଯାଇଥାନ୍ତେ, ମାତ୍ର ଏବେ ସେ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ରଣବୀର ଦେଇଥିବା କମେଣ୍ଟକୁ ନେଇ ଖୁସି ନାହାନ୍ତି ବୋଲି ବି ପ୍ରାକ କହିଛନ୍ତି । ରଣବୀରଙ୍କ ୟୁଟ୍ୟୁବ ଚ୍ୟାନେଲ ବିୟର ବାଇସେପ୍ସର ଏକ ପଡକାଷ୍ଟରେର ବି ପ୍ରାକ ସାମିଲ ହେବାର ଥିଲା । ମାତ୍ର ଏବେ ସେ ତାହାକୁ ବାତିଲ କରିଦେଇଛନ୍ତି । ରଣବୀରଙ୍କ ଚିନ୍ତାଧାରା ଅତ୍ୟନ୍ତ ନିମ୍ନମାନର । ରୈନାଙ୍କ ଶୋ’ରେ ରଣବୀର କିପରି ଏଭଳି ଖରାପ ଶବ୍ଦର ପ୍ରୟୋଗ କରିପାରିଲେ ବୋଲି ବି ପ୍ରାକ ପ୍ରଶ୍ନ କରିଛନ୍ତି । ଏହା ଆମର ଭାରତୀୟ ସଂସ୍କୃତି ନୁହେଁ କି ଆମର ସଂସ୍କୃତି ନୁହେଁ ବୋଲି ଗାୟକ କହିଛନ୍ତି ।