୫୪ ବର୍ଷ ବୟସରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ
ନନ୍ଦିଘୋଷ ବ୍ୟୁରୋ: ବିଶିଷ୍ଠ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ । ୫୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ହୋଇଥିଲେ ଭର୍ତ୍ତି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଅଭିଜିତ । ଅନେକ ହିଟ୍ ଗୀତ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର । ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଅଭିଜିତ୍ । ହସହସ ଚେହେରାର ମଣିଷଟିଏ ଥିଲେ ଅଭିଜିତ ମଜୁମଦାର । ବେଳେବେଳେ ଗୀତର ସ୍ୱରରେ ଆଖି ପତା ଲୁହରେ ଭିଜାଇଛନ୍ତି ତ ଆଉ କେବେ ଗୀତ ଗୀତରେ ଖୁବ ହସାଇଛନ୍ତି ।
ଗଣେଶ ପୂଜା ହେଉ କି ଦଶହରା ତାଙ୍କ ଗୀତ ନବାଜିଲେ ସବୁ ଫିକା । ଏମିତି କି ନିର୍ବାଚନୀ ଗୀତ ପାଇଁ ବି ବେଶ ଲୋଡ଼ା ପଡ଼ନ୍ତି ଦାଦା । ପିଲାଠୁ ବୟସ୍କ ସମସ୍ତଙ୍କର ସେ ଦାଦା । ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଭାବେ ସେ ଥିଲେ ଜଣାଶୁଣା । ଯାହାଙ୍କ ଗୀତ ବାଜିଲେ ଆପେ ଆପେ ଝୁମିଥାନ୍ତି ଶ୍ରୋତା । କଣ୍ଠର ଯାଦୁରେ ବାନ୍ଧି ରଖିବାର କଳା ତାଙ୍କୁ ଜଣା ସେଥିପାଇଁ ତ ତିନି ଦଶନ୍ଧୀରୁ ଅଧିକ ସମୟ ସେ ଓଡ଼ିଆ ସଙ୍ଗୀତର ତାଳରେ ଝୁମାଇବାରେ ନିପୁଣ ବୋଲି ବାରମ୍ବାର ପ୍ରମାଣ କରି ଆସିଛନ୍ତି ।
ସମ୍ବଲପୁରରୁ ଆସି କଟକରେ ନିଜ ସଙ୍ଗୀତର ଆଭିଜାତ୍ୟକୁ ଭିନ୍ନ ରୂପ ଦେଇ ପାରିଥିଲେ ଅଭିଜିତ । ପ୍ରଥମେ କଲେଜ ନିର୍ବାଚନ ପ୍ରଚାର ଗୀତରୁ ନିଜର ପରିଚୟ ସୃଷ୍ଟଇ କରିଥିଲେ ଅଭିଜିତ । ୧୯୯୧ ମସିହାରେ ପ୍ରଥମେ ସମ୍ବଲପୁରୀ ଗୀତରୁ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଯାତ୍ରା । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ କ୍ୟାସେଟ ଥିଲା ଧସକି ଗଲା । ଆଉ ତା’ପରେ ଏ ଯାତ୍ରାରେ ବିରାମ ଲାଗିନି । ଗାୟକରୁ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜର ଦକ୍ଷତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ହୋଇପାରିଛନ୍ତି ।
୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସିନେମା କାଶିଆ କପିଳାରେ ଦେଖାଇଥିଲେ ନିଜ ଯାଦୁଗରୀ । ପରେ ପରେ ରଖିବ ଯଦି ମାରିବ କିଏ, ତୋ ବିନା ଭଲ ଲାଗେନା, ଶଶୁର ଘର ଜିନ୍ଦାବାଦ ଆଦି ସିନେମା ତାଙ୍କ ଗୀତ ପାଇଁ ସାଜିଥିଲା ବିରାଟ ମାଇଲଖୁଣ୍ଟ । ତୁ ଥା ମୁଁ ଯାଉଛି ରୁଷି ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଆନ୍ତି ଦାଦା । ଏହାପରେ ତାଙ୍କ ଗୀତକୁ ମ୍ୟାଚ କଲା ଭଳି ବ୍ୟାକ ଟୁ ବ୍ୟାକ ସିନେମା ଆସେ ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ, ରଙ୍ଗିଲା ଟୋକା, ଲଭ ମାଷ୍ଟର ଓ ଜଗୁ ଅଟୋବାଲା, ଚଉକା ଛକା, ଡାହା ବାଳୁଙ୍ଗା, ଆମେ ତ ଟୋକା ଷଣ୍ଢ ମାର୍କା ଭଳି ସିନେମା ଯାହାର ସିନେମା କାହାଣୀ ଅପେକ୍ଷା ଗୀତ ଅଧିକ ଭାଇରାଲ ହୋଇଥିଲା ।
ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକକୁ ମଧ୍ୟ ଗୀତ ଦେଇଛନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଟିଭି ଶୋ’ କାର୍ଯ୍ୟକ୍ରମରେ କେବେ ଉପସ୍ଥାପକ ତ କେବେ ବିଚାରକ ଭାର ନିଭାଇଛନ୍ତି । ସବୁ ବେଳେ ଯୁବ କଣ୍ଠଶିଳ୍ପୀଙ୍କୁ ଆଗକୁ ଯିବାର ବାଟ ଛାଡୁଥିଲେ ଦାଦା । ଅନ୍ତାକ୍ଷରୀ, ମେଲୋଡି ନାଇଟ୍ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକଡାଉନ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ସବୁବେଳେ ଦର୍ଶକଙ୍କୁ ଟାଣି ରଖିବାରେ ସଫଳ ହୋଇପାରିଥିଲେ ସେ । ଏପର୍ଯ୍ୟନ୍ତ ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।

