ଦୁଇ ଦିନ ହେଲା ମହାପ୍ରଭୁ ଲିଙ୍ଗରାଜ ଉପବାସରେ

ଭୁବନେଶ୍ବର: ଦୁଇଦିନ ହେଲା ଅଖିଆ ଅପିଆ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲିଠାରୁ ବନ୍ଦ ରହିଛି ସବୁ ନୀତିକାନ୍ତି । ବିଧି ଅନୁସାରେ ଗତକାଲି ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ । ଦୁଇ ବର୍ଷ ହେଲା ଅଧିବାସ ପୂଜା ନହୋଇ ମଧ୍ୟ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ନୀତିକାନ୍ତି ଶୃଙ୍ଖଳିତ ହେଉଥିଲା । ଏ ବର୍ଷ କିନ୍ତୁ ଅଧିବାସ ପୂଜାକୁ ବଡୁ ସେବକମାନେ ବିରୋଧ କରିଥିଲେ ।
ହେଲେ ପ୍ରଶାସନ ଏହାର ସମାଧାନ କରିପାରିଲା ନଥିଲା । ଫଳରେ ଗତକାଲି ମଙ୍ଗଳ ଆରତୀ ପରଠାରୁ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି । ଗୋଟିଏ ପଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ଚାଲିଛି ।