ଦୂର ହେବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୋଲିସ । ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ତିଆରି ହେବାକୁ ଥିବା ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍ ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ । ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।