ଶିମିଳିପାଳର ୩୬ଟି ଗାଁରେ ପହଞ୍ଚିଲା ସୋଲାର ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଭୟାରଣ୍ୟବାସୀ

ମୟୂରଭଞ୍ଜ: ଶିମିଳିପାଳରେ ଏବେ ନୂତନ ସୂର୍ଯ୍ୟଦୋୟ । ବର୍ଷବର୍ଷର ଅନ୍ଧକାରକୁ ଭେଦ କରି ପ୍ରତି ଘରେ ଏବେ ସୋଲାର ଲାଇଟ । ଆଉ ଡରାଇବନି ରାତିର ଘନ ଅନ୍ଧକାର । ଶିମିଳିପାଳର ୩୬ଟି ଗାଁରେ ପହଞ୍ଚିଲା ସୋଲାର ଲାଇଟ୍ । ୬ହଜାର ପରିବାରରେ ଖେଳିଯାଇଛି ଖୁସିର ଲହରୀ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ଅଭୟାରଣ୍ୟବାସୀ ।
ସୁଇଚ୍ ଟିପିଲେ ଜଳୁଛି ବଲବ୍ । ଘୁରୁଛି ପଙ୍ଖା ଆଉ ଚାଲୁଛି ଟେଲିଭିଜନ୍ ଦଶନ୍ଧି ଧରି ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ଥିତିରେ ଆସିଛି ବ୍ୟାପକ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିମିଳିପାଳର ଅସ୍ତପୁର, ବରେଇପାଣି ଓ ଗୁଡ଼ୁଗୁଡ଼ିଆ ପଞ୍ଚାୟତରେ ୧୭ଟି ମାଇକ୍ରୋ ଗ୍ରୀଡ଼ ପ୍ରକଳ୍ପକୁ ଲୋକାର୍ପଣ କରିବା ପରେ ଲୋକଙ୍କ ଜୀବନରେ ଆସିଛି ପରିବର୍ତ୍ତନ । ଦେନେ ବିଜୁଳି ଆଲୁଅ ଏମାନଙ୍କ ପାଇଁ ଥିଲା ସାତ ସପନ । ଟେଲିଭିଜନ୍ କଣ ? ରେଡ଼ିଓରେ ବ୍ୟାଟେରୀ ପକାଇ ଯାହା କିଛି ଶୁଣୁଥିଲେ ଏମାନେ । ଏବେ କିନ୍ତୁ ସେମାନଙ୍କ ସ୍ବପ୍ନରେ ଲାଗିଛି ପର । ଏହା ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ । ଆଲୁଅରେ ଏମାନଙ୍କ ଛୁଆ ଦେଖୁଛନ୍ତି ନୂଆନୂଆ ସ୍ବପ୍ନ ଆଉ ସମ୍ଭାବନା । ଏହା ସମ୍ଭବ ହୋଇଛି ସୋଲାର ବିଦ୍ୟୁତ ଆଲୁଅ ଯୋଗୁ । ଘର ଭିତରେ ଲାଇଟ୍, ଆଉ ରାସ୍ତାରେ ବି ଜଳୁଛି ବଲବ୍ ।
ଶିମିଳିପାଳର ୩୬ଟି ଗାଁରେ ବିଜୁ ଗ୍ରାମ୍ୟଜ୍ୟୋତୀ ଯୋଜନାରେ ୧୭ଟି ସୋଲାର ମାଇକ୍ରୋ ଗ୍ରୀଡ଼୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଓଡ଼ିଶା, ନବୀନ ଓଡ଼ିଶା’ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଗୋଟିଏ ଗ୍ରୀଡ଼୍ରୁ ପରିବାର ପିଛା ୮୦ ଓ୍ବାଟ୍ ବିଜୁଳି ସହିତ ୨୫୦ ପରିବାରକୁ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯାଇଛି। ଟାଟା ପାଓ୍ବାର ନର୍ଥ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ତରଫରୁ ମଧ୍ୟ ଜଙ୍ଗଲ ଭିତରେ ଥିବା ଘର ଗୁଡ଼ିକୁ ସିଙ୍ଗିଲ୍ ୟୁନିଟ୍ ପ୍ରୋଜେକ୍ଟ ମାଧ୍ୟମରେ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ପ୍ରକଳ୍ପକୁ ପରିଚାଳନା ଓ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ୩୮ ଜଣ ଯୁବକଙ୍କୁ ତାଲିମ ସହ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ଲୋକମାନେ ଏବେ ନୀରବଛିନ୍ନ ବିଦ୍ୟୁତ ସେବା ପାଉଛନ୍ତି ।