spot_img

Latest Posts

ତ୍ରାହି ତ୍ରାହି ଡ଼ାକିଲେଣି ଜଙ୍ଗଲରେ ଜୀବଜନ୍ତୁ, ବିଶାଳ ରୂପ ନେଲାଣି ଜଙ୍ଗଲ ନିଆଁ

ନିଆଁ ଆଁରେ ଭଶ୍ମ ହେବାରେ ଲାଗିଛି ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ତାର କବଳକୁ ନେଉଛି। ଏଥିରେ ତ୍ରାହି ତ୍ରାହି ଡ଼ାକିଲେଣି ଜଙ୍ଗଲରେ ସବୁ ଜୀବଜନ୍ତୁ। ଜୀବଜନ୍ତୁ ମାନଙ୍କର ମୃତ୍ୟୁ ଫଟାେ ବାହାରକୁ ଆସିନଥିଲେ ମଧ୍ୟ ଜଙ୍ଗଲ ନିଆଁରେ ଅନେକ ଜୀବଜନ୍ତୁ ମରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ସବୁଠାରୁ ବଡ଼ କଥାହେଉଛି ଗୋଟିଏ ପରେ ଗୋଟି ଜଙ୍ଗଲରେ ନିଆଁ କେମିତି ଲାଗୁଛି। ଯଦି ଦେଖିବା ଏହି ସବୁ ଜଙ୍ଗଲ ମଧ୍ୟରେ ଅନେକ ଦୁରତା ରହିଛି। ଗୋଟିଏ ଜଙ୍ଗଲରୁ ଆଉଗୋଟିଏ ଜଙ୍ଗଲକୁ ନିଆଁ ପହଞ୍ଚିବା ବହୁତ କଷ୍ଟ। କିନ୍ତୁ ତଥାପି ନିଆଁ ବ୍ୟାପିବାରେ ଲାଗିଛି ଜାହା ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ।

ଶିମିଳିପାଳରେ ସ୍ଥିତି ଅଣାୟତ୍ତକୁ ଆସିନଥିବା ବେଳେ ଏବେ ସୁନାବେଡ଼ା ଅଭୟାରଣ୍ୟ ନିଆଁ କବଳରେ। ସେପଟେ ନୀଳଗିରି କୁଳଡିହା ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ। ୫ରୁ ୬ ସ୍ଥାନରେ ନିଆଁ ଲାଗି ଏବେ ଧୀରେ ଧୀରେ ଗାଁକୁ ବ୍ୟାପିବାରେ ଲାଗିଛି। ରବିବାର ରାତିରେ ବାଲି ଚୁଆ ଗାଁକୁ ମାଡ଼ି ଆସିଥିଲା ନିଆଁ, ଫଳରେ ରାତିସାରା  ଅଗ୍ନିଶମ ବାହିନୀ, ବନ କର୍ମଚାରୀ, ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି।

ସେପଟେ ନିଆଁ ଗାଁକୁ  ଯେଭଳି ବ୍ୟାପୁଛି ଗାଁ ଲୋକେ ଭୟରେ ଥିବା ସୂଚନା ରହିଛି। ତେବେ ଲଗାତାର ଭାବେ ଅଗ୍ନିଶମ ବିଭାଗ ବନକର୍ମଚାରି ଓ ଗାଁ ଲୋକଙ୍କ ମଧ୍ୟରେ ଚାଲିଛି ଯୋଜନା କିପରି ନିଆଁକୁ ଆୟତ କରାଯିବ। କପିଳାସ, କୁଲଢ଼ିହା ମଧ୍ୟ ନିଆଁର ଆଁ ଭିତରକୁ ଆସିଲାଣି। ନୃସିଂହନାଥ, ହରିଶଙ୍କର ରେଞ୍ଜରେ ଜଳୁଛି ଜଙ୍ଗଲ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଳାହାଣ୍ଡିରୁ କଣ୍ଟାବାଞ୍ଝି। ସବୁଠି ଜଙ୍ଗଲ ନିଆଁ ଆଜି ଭୟଙ୍କର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫୦୦ରୁ ଅଧିକ ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।

ଦିନକୁ ଦିନ ନିଆଁ ତାର ଆକାର ବଢ଼ାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଯେତିକି ନିଆଁ ଲାଗିଥିଲା ଏବେ ତାହା ଗୋଟିଏ  ଦିନରେ ଲାଗୁଛି। ଯେଉଁଥିପାଇଁ ହୁତ୍‌ ହୁତ୍‌ ହୋଇ ସାତକୋଶିଆ ଜଳୁଛି। ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି ସୁଦ୍ଧା ସାତକୋଶିଆର ୧୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ସାଟେଲାଇଟ୍ ତଥ୍ୟ ଦେଇଥିବା ବେଳେ ଆଜି ରବିବାର ଦିନ ୯୨ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା କଥା ସାଟେଲାଇଟ୍‌ ତଥ୍ୟ ଦେଇଛି।

ମାର୍ଚ୍ଚ ୧ ତାରିଖରୁ ୬ତାରିଖ ମଧ୍ୟରେ ମହାନଦୀ ଡିଭିଜନରେ ୮୮ଟି ଜଙ୍ଗଲ ଅଞ୍ଚଳ ଜଳୁଛି ବୋଲି ସାଟେଲାଇଟ୍ ଧରିଥିଲା। ସୋମବାର ଗୋଟିଏ ଦିନରେ ମହାନଦୀ ଡିଭିଜନର ୭୮ଟି ଅଞ୍ଚଳରେ ନିଆଁ ଲାଗିଥିବା ସାଟେଲାଇଟ୍‌ ଜାଣିବାକୁ ପାଇଛି। ସବୁଠାରୁ ବେଶି ଜଳୁଛି ମହାନଦୀ ଏବଂ ବାଇଶିପାଲୀ ଜଙ୍ଗଲ। ତେବେ ଜଙ୍ଗଲରେ କେଉଁଥି ପାଇଁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଯଣାପଡ଼ିନାହିଁ। କାହିଁକି ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପୁଛି ତାହା ଏବେ ଅସ୍ପଷ୍ଟ।

ତେବେ ନିଆଁକୁ ଲିଭାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି। ଦମକଳ ବାହୀନି ପ୍ରତି ମୁହୂର୍ତ୍ତରେ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଛନ୍ତି।

Latest Posts

Don't Miss