ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ଼। ୧୦ ଡିଗ୍ରୀ ତଳେ ଅଧାରୁ ଅଧିକ ସହରର ତାପମାତ୍ରା । କିଛି ସ୍ଥାନର ତାପମାତ୍ରା ୫ ଡିଗ୍ରୀ ତଳକୁ ମଧ୍ୟ ଖସିଛି। ଶୂନ ଡିଗ୍ରୀରେ ଥରୁଛି ଶିମିଳିପାଳ। ଶିମିଳିପାଳର ଉପରବାରାକାମୁଡାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚହଲାଠାରେ ତାପମାତ୍ରା ୩ ଡିଗ୍ରୀ ଥିବାବେଳେ ନଓ୍ବାଣାରେ ୬ଡିଗ୍ରୀ, ଗୁରୁଗୁରିଆରେ ୮, କିଆଝରି ଓ ବରେହିପାଣିରେ ୧୦ଡ଼ିଗ୍ରୀ ଓ ଯଶିପୁରଠାରେ ୧୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବିଶେଷକରି କନ୍ଧମାଳର ପୁଲବାଣୀ, ଜି.ଉଦୟଗିରି, ଦାରଙ୍ଗିବାଡ଼ି, କୋରାପୁଟର ସେମିଳିଗୁଡ଼ା, ସୁନ୍ଦରଗଡ଼ର କିରେଇ, କେନ୍ଦୁଝର, ସୁନ୍ଦରଗଡ଼, ବାରିପଦା ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।
ଅନ୍ୟପଟେ ଆଜି ପରଠୁ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇପାରନ୍ତି ରାଜ୍ୟବାସୀ। ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆଜି ପରେ କମିପାରେ। ଆସନ୍ତା ଦୁଇଦିନ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି। ଘନ କୁହୁଡି ପାଇଁ ୧୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ କୁହୁଡି ଅଧିକ ମାତ୍ରାରେ ରହିବ।

