ସିକ୍କିମ ପାଇଁ ଆସୁଛି ବଡ଼ ବିପତ୍ତି !

1 min read

ନନ୍ଦିଘୋଷ ବ୍ୟୁରୋ: ଗତ ୩ ତାରିଖରେ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ତିସ୍ତା ନଦୀରେ ବନ୍ୟା ଆସିଥିଲା । ଏହି ବନ୍ୟା ଯୋଗୁଁ ମଙ୍ଗନ, ଗ୍ୟାଙ୍ଗଟକ୍, ପାକ୍ୟୋଙ୍କ ଏବଂ ନାମସିରେ ବିପୁଳ କ୍ଷୟକ୍ଷତି ହୋଇଛି । ଏହି ପ୍ରଳୟଙ୍କରି ବନ୍ୟାରେ ୨୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫୬ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ଭିତରେ ପୁଣି ସିକ୍କିମ ପାଇଁ ଆସୁଛି ଆଉ ଏକ ବଡ ବିପତ୍ତି। ସିକ୍କିମରେ ଭାଙ୍ଗିପାରେ ଆଉ ଏକ ହ୍ରଦ। ରାଜଧାନୀ ଗ୍ୟାଙ୍ଗଟରୁ ୧୩୫ କିଲୋମିଟର ଦୂର ଲାଚେନ ଉପତ୍ୟାକାରେ ଥିବା ସାକୋ-ଚୁ ହ୍ରଦର ସ୍ଥିତି ଗୁରୁତର ରହିଛି ।

ବରଫ ତରଳି ଏଠାରେ ପାଣି ଜମା ହୋଇଛି । ଯେକୌଣସି ମୁହୂର୍ତ୍ତରେ ଏହା ଭାଙ୍ଗି ଯାଇପାରେ ବୋଲି କୁହାଯାଉଛି। ସ୍ଥିତକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସ୍ଥିତ ଘୋଷଣା କରାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ହଟାଇବା ଆରମ୍ଭ କରାଯାଇଛି । ଗତ ୩ ତାରିଖରେ ହୋଇଥିବା ବନ୍ୟାରେ ଏବେବି ଅନେକ ପର୍ଯ୍ୟଟକ ଫସି ରହିଛନ୍ତି । ଆଇଟିବିପି ଉଦ୍ଧାର କାର୍ଯ୍ୟରେ ଲାଗିଛି । ୨୫ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୦୦ ଘର ଧୋଇଯାଇଛି । ୧୦ହଜାର ଲୋକ ଭିନ୍ନଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି । ବୁରଦାଙ୍ଗ ଅଞ୍ଚଳରେ ନିଖୋଜ ଥିବା ସେନାର ୨୩ ଯବାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ତଳିଆ ଅଞ୍ଚଳରୁ ମିଳିଛି । ଏବେ ବି ୧୫ ଯବାନଙ୍କ ସହିତ ୧୪୩ ଲୋକ ନିଖୋଜ ଅଛନ୍ତି ।