ଆଜି ଜନ୍ମମାଟିରେ ପହଞ୍ଚିବ ବୀର ସହିଦଙ୍କ ପାର୍ଥିବ ଶରୀର

କାମାକ୍ଷାନଗର: ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର । ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର । ଶନିବାର ଜନ୍ମମାଟିକୁ ଆସିବ ସିକ୍କିମ୍ ବନ୍ୟାରେ ସହିଦ ହୋଇଥିବା ସରୋଜଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ । ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଶୋଭାଯାତ୍ରାରେ ଜନ୍ମମାଟି କାମାକ୍ଷାନଗରର କେନ୍ଦୁଢିପକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଏଥିପାଇଁ ଗାଁ ଲୋକ ଓ ପ୍ରଶାସନ ପ୍ରସ୍ତୁତି କରିଛି । ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି ।

ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପରିବେଶ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ । ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ । ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ ।