ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ଆଖିବୁଜା ଗୁଳିମାଡ଼। ସିଡନୀର ବଣ୍ଡି ବିଚ ପାର୍କରେ ଘଟିଥିବା ଗୁଳିମାଡରେ ୧୦ ମୃତ, ଅନେକ ଆହତ। ଗୁଳିମାଡରେ ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। ଏହା ଏକ ଟାର୍ଗେଟେଡ ଆଟାକ ବୋଲି ପୋଲିସ କହିଛି। ଇହୁଦୀମାନେ ହାନୁକା ଉତ୍ସବ ମନାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଛି। ଏହି ଘଟଣାରେ ଜଣେ ବନ୍ଧୁକଧାରୀ ପ୍ରାଣ ହରାଇଥିବାବେଳେ ଆଉ ଜଣକୁ ପୋଲିସ ହେପାଜତରେ ରଖାଯାଇଛି। ଦୁର୍ବୃତ୍ତମାନେ ୩ଟି ବନ୍ଧୁକ ଜରିଆରେ ଏହି ଘଟଣା ଘଟାଇଥିବା କୁହାଯାଇଛି। ଏହି ଘଟଣା ପରେ ସେଠାରେ ୨୫ଟି ହେଲିକପ୍ଟର, ଡାକ୍ତରୀ ଟିମ, ସ୍ବତନ୍ତ୍ର ଅପରେସନ ଟିମ ମୁତୟନ କରାଯାଇଛି। ଆହତମାନଙ୍କୁ ସେଣ୍ଟ ଭିନସେଣ୍ଟ, ରୟାଲ ପ୍ରିନ୍ସ ଆଲଫ୍ରେଡ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଅନ୍ଥୋନି ଆଲବାନିସ ନିନ୍ଦା କରିଛନ୍ତି। ବଣ୍ଡି ବିଚ ହେଉଛି ସିଡନୀରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି।

