‘ବାପା ନଜିତିବା ଯାଏଁ ବାହା ହେବିନି’

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ଏବେ ହାଇ ଭୋଲଟେଜ ପ୍ରଚାର । ଏହି ପ୍ରଚାର ମୈଦାନରେ ଏବେ ଏଣ୍ଟ୍ରି ହୋଇଛି ଜଣେ ଯୁବତୀଙ୍କର । ଯିଏ ନିଜ ବାପାଙ୍କ ପରି ଶବ୍ଦ ବାଣରେ ବିରୋଧୀଙ୍କୁ ଘାଇଲା କରିବା ସହ ବାପାଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏବେ ବୁଝି ପାରୁଥିବେ ଏମିତି କିଏ ଅଛି ଯିଏ ଶବ୍ଦ ବାଣରେ ବିରୋଧୀ ହୁଅନ୍ତୁ ଅବା ନିଜ ଦଳର ନେତା, ସମସ୍ତଙ୍କୁ ଘାଇଲା କରୁଥିବେ । ଠିକ ଭାବୁଛନ୍ତି, ଆମେ ପୂର୍ବ ଅମୃତସର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ସିଂ ସିଦ୍ଧୁଙ୍କ କଥା କହୁଛୁ । ଏବେ ତାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଝିଅ ରାବିଆ ସିଦ୍ଧୁ ।

ବାପାଙ୍କ ଭଳି ଫୁଲ୍ ଷ୍ଟାଇଲରେ ପ୍ରଚାର ମୈଦାନକୁ ଏଣ୍ଟ୍ରି କରିଛନ୍ତି ରାବିଆ । ଆଉ ଆରମ୍ଭରୁ ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିକ୍ରମ ମଜିଠିଆଙ୍କୁ ଉପରେ ଶବ୍ଦବାଣ ମାରିଛନ୍ତି ।

ରାବିଆ କହିଛନ୍ତି, ‘ମଜିଠାରେ ଗ୍ରସରୀ ଦୋକାନରେ ବି ନିଶାଦ୍ରବ୍ୟ ବିକ୍ରି ହେଉଛି । ଲୋକ ସବୁ ଜାଣିଛନ୍ତି ଭୋଟ କାହାକୁ ଦେବା ଦରକାର ।’

ଆଗକୁ ସେ କହିଛନ୍ତି, ‘ବାପା ନିର୍ବାଚନରେ ବିଜୟ ମୁକୁଟ ନପିନ୍ଧିବା ପର୍ଯ୍ୟନ୍ତ ମୁଁ ବାହା ହେବିନି । ବାପା ସତ୍ୟ ପଥରେ ଅଛନ୍ତି, ତେଣୁ ତାଙ୍କ ଆଗକୁ ସମସ୍ୟା ଆସୁଛି ।’

ଏହାସହ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି କାହାର କାହା ସଙ୍ଗରେ ମୁକାବିଲା ହେଉଛି । ଡ୍ରଗ୍ସ କବଳରୁ ନିଜ ପିଲାଙ୍କୁ ବଞ୍ଚାଇବ ନା ସେମାନଙ୍କୁ ନିଶାଡି ହେବାକୁ ଛାଡିଦେବ ବୋଲି ପଚାରିଛନ୍ତି ରାବିଆ ।

ପ୍ରଚାର ବେଳେ ସେ ଆହୁରି କହିଛନ୍ତି, ‘ଟଙ୍କା ନେଇ ଲୋକ ବିକ୍ରି ହୋଇଯାଉଥିଲେ । ହେଲେ ଆଗକୁ ଆଉ ସେମିତି ହେବନି । ବିକ୍ରମ ମଜିଠିଆ ବାପାଙ୍କ ପାଖରୁ ରାଜନୀତି ଶିଖିଛନ୍ତି । ଆଜି ତାଙ୍କ ସହ ବାପା ସତ୍ୟ ଓ ନ୍ୟାୟର ଲଢେଇ ଲଢୁଛନ୍ତି । ଅନ୍ୟ କୌଣସି ସ୍ଥାନରୁ କାହିଁକି ସେ ନିର୍ବାଚନ ଲଢୁନାହାନ୍ତି । କଂଗ୍ରେସ କର୍ମୀଙ୍କୁ ଧମକ ଦିଆଯାଉଛି । ସେମାନଙ୍କୁ ଭୟଭିତ କରାଯାଉଛି ।’

Leave a Reply