ରୋଡ୍ ରେଜ୍ ମାମଲା କଣ ? ଏହି ମାମଲା ସହ ସିଦ୍ଧୁଙ୍କ ସମ୍ପୃକ୍ତି କେମିତି…

1 min read
AICC Appoints Navjot Singh Sindhu As President Of Punjab PCC

୧୯୯୮ ରୋଡ୍ ରେଜ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ପୁନର୍ବିଚାର ପାଇଁ ଅପିଲ କରାଯାଇଥିଲା । ପୀଡ଼ିତ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମେ ୨୦୧୮ରେ ଆବେଦନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲା । ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଫାଇନ୍ କରି ଛାଡ଼ିଦିଆଯାଇଥିଲା। ଏବେ ଆଇପିସିର ଧାରା ୩୨୩ରେ ତାଙ୍କୁ ଦୋଷି ସାବ୍ୟସ୍ତ କରି ଦଣ୍ଡ ଦେଇଛି କୋର୍ଟ ।

ତେବେ ଆସନ୍ତୁ ଜାଣିବା ରୋଡ୍ ରେଜ କେସ କଣ ?

ଏହି ମାମଲା ସହ ସିଦ୍ଧୁଙ୍କ ସମ୍ପର୍କ କଣ ?

୧୯୯୮ ମସିହା ଡିସେମ୍ବର ୨୭ ସନ୍ଧ୍ୟାରେ ସିଦ୍ଧୁ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହ ପଟିଆଲାର ଶେରୱାଲ୍ ଗେଟ୍ ବଜାରରେ ପହଞ୍ଚିଥିଲେ । ଏବଂ ସେଠାରେ ଗେଟ୍‌ କ୍ରସିଂ ନିକଟ ମଝି ରାସ୍ତାରେ ତାଙ୍କ ଗାଡି ପାର୍କ କରିଥିଲେ। ଆଉ ଏହି ସମୟରେ ୬୫ ବର୍ଷୀୟ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତି କାର ଚଳାଇ ସେଠାକୁ ଆସିଥିଲେ। ମଝି ରାସ୍ତାରେ କାର୍ ପାର୍କ ହୋଇଥିବା ଦେଖି ସେ କାର୍‌କୁ ସାଇଟ୍ କରିବାକୁ ସିଦ୍ଧୁ ଓ ତାଙ୍କ ସାଙ୍ଗଙ୍କୁ କହିଥିଲେ। ଏତିକିରେ ସିଦ୍ଧୁଙ୍କ ସହ ଗୁରୁନାମଙ୍କ ବଚସା ହୋଇଥିଲା ଆଉ ସିଦ୍ଧୁ ରାଗିଯାଇ ତାଙ୍କ ସହ ମାରପିଟ କରିଥିଲେ । କେବଳ ସେତିକି ନୁହେଁ, ଆହତ ଗୁରନାମ ଯେମିତି ଡାକ୍ତରଖାନା ନଯାଇ ପାରିବେ ସେଥିପାଇଁ ସିଦ୍ଧୁ ତାଙ୍କ କାର୍ ଚାବି ନେଇ ସେଠାରୁ ଚାଲିଯାଇଥିଲେ। ପରେ ଖବର ପାଇ ବୃଦ୍ଧଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ୧୯୯୯ରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରାଯାଇଥିଲା। କାରଣ ଗୁରନାମଙ୍କ ମୃତ୍ୟୁ ମାରପିଟ୍ କାରଣରୁ ନୁହେଁ ବରଂ ହୃଦଘାତ କାରଣରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। କିନ୍ତୁ ଡିସେମ୍ବର ୨୦୦୬ରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଉଭୟଙ୍କୁ ଅନିଚ୍ଛାକୃତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ଏହା ଜାଣିଶୁଣି ହତ୍ୟା ମାମଲା ନଥିଲା ବୋଲି କୋର୍ଟ କହିଥିଲେ। ଘଟଣାରେ ହାଇକୋର୍ଟ ସିଦ୍ଧୁ ଓ ସାନ୍ଧୁଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ଏହାପରେ ଉଭୟ ଅଭିଯୁକ୍ତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ୨୦୦୭ରେ କୋର୍ଟ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ଏହି ସମୟରେ ସିଦ୍ଧୁଙ୍କ କେସ ବିଜେପିର ଦିବଙ୍ଗତ ନେତା ଅରୁଣ ଜେଟଲି ଳଢିଥିଲେ ।

ତେବେ ୧୦୧୮ ମେ ୧୫ରେ ସୁପ୍ରିମକୋର୍ଟ ଧାରା ୩୨୩ ଅନୁସାରରେ ଦୋଷୀ ସାବ୍ୟସ୍ତ କରିଥିଲେ ବି ଧାରା ୩୦୪ (II)  ମାମଲାରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଥିଲେ। ଏହାପରେ ସେହିବର୍ଷ ସେପ୍ଟେମ୍ବର ୧୨ ତାରିଖରେ ସୁପ୍ରିମକୋର୍ଟ ମାମଲାର ପୁନଃ ଶୁଣାଣି ପାଇଁ ରାଜି ହୋଇଥିଲେ। ୨୦୨୨ ମାର୍ଚ୍ଚ ୨୫ ତାରିଖରେ ମାମଲାରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏବଂ ଗତ ମେ ୧୯ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ ଶୁଣାଣିଛନ୍ତି।