ମା’ ହେବେ ସିଦ୍ଧୁ ମୁଶାୱାଲାଙ୍କ ମା’, ପରିବାରକୁ ମିଳିବ ଉତ୍ତରାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁଶାୱାଲାଙ୍କ ମା’ ଏବେ ପୁଣି ମା’ ହେବାକୁ ଯାଉଛନ୍ତି । ସେ ଆଗାମୀ ମାର୍ଚ୍ଚ ମାସରେ ଏକ ଶିଶୁକୁ ଜନ୍ମ ଦେବେ । ଚରଣକୌର ଆଇଭିଏଫ ଜ୍ଞାନକୌଶଳ ବ୍ୟବହାର କରି ଏହି ସନ୍ତାନକୁ ଜନ୍ମ ଦେବେ । ସିଦ୍ଧୁ ମୁଶାଓ୍ବାଲାଙ୍କ ମୃତ୍ୟୁ ପରେ ପୁଣି ତାଙ୍କ ଘରେ ଖୁସି ଲହରୀ ଖେଳିବାକୁ ଯାଉଛି ।

୨୦୨୨ ମସିହାରେ ଗୁଳି କରି ସିଦ୍ଧୁ ମୁଶାଓ୍ବାଲାଙ୍କୁ ହତ୍ୟା କରାଯାଇଥିଲା । ସେ ତାଙ୍କ ବାପା ମାଆଙ୍କର ଗୋଟିଏ ବୋଲି ପୁଅ ଥିଲେ । ଏବେ ଆଇଭିଏଫ ଟେକନିକ ବ୍ୟବହାର କରି ତାଙ୍କ ମା’ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ସୁରକ୍ଷା କାରଣରୁ ସିଦ୍ଧୁଙ୍କ ବାପା ଏ ନେଇ କିଛି ସୂଚନା ଦେଇ ନାହାନ୍ତି । ତାଙ୍କ ମାମୁଁ ଚମକୌର ସିଂହ କିନ୍ତୁ ସନ୍ତାନ ହେବା ନେଇ ସୂଚନା ଦେଇଛନ୍ତି । ସିଦ୍ଧୁଙ୍କ ପରିବାର ପାଇଁ ଜଣେ ଉତ୍ତରାଧିକାରୀ ଭାବେ ଶିଶୁ ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ । ଏହି ଖବର ତାଙ୍କ ପ୍ରଶଂସକ ପାଇବା ପରେ ବେଶ ଖୁସି ଅନୁଭବ କରିଛନ୍ତି ।