ସିଦ୍ଧରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ଘୋଷଣା

1 min read

ବେଙ୍ଗାଲୁରୁ: ସିଦ୍ଧରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ସିଦ୍ଧରମୈୟାଙ୍କ ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ । ସିଦ୍ଧରମୈୟା ଆସନ୍ତାକାଲି ଶପଥ ନେଇପାରନ୍ତି ବୋଲି ସୂଚନା ମିଳିଛି ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସିଦ୍ଧରମୈୟା ଭେଟିଛନ୍ତି । ସିଦ୍ଧରମୈୟାଙ୍କ ପରେ ଶିବକୁମାରଙ୍କୁ ଭେଟିବେ ରାହୁଲ ।  ତେଣେ ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ କର୍ଣ୍ଣାଟକର ନବନିର୍ବାଚିତ ବିଧାୟକ ହାଜର ହୋଇଛନ୍ତି । ଏହା ସହ ଖଡଗେଙ୍କ ଘରେ ବି ଉପସ୍ଥିତ ହୋଇଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା । ଗତକାଲି ସନ୍ଧ୍ୟାରେ ଉଭୟ ସିଦ୍ଧରମୈୟା ଓ ଶିବକୁମାରଙ୍କୁ ଭେଟିଥିଲେ ମଲ୍ଲିକାର୍ଜୁନ ।

ଆଜି ୧୦-ଜନପଥରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏଆଇସିସି ସାଧାରଣ ସମ୍ପଦକ କେ.ସି. ଭେନୁଗୋପାଲ। ସୋମବାରଠାରୁ ସିଦ୍ଧରମୈୟା ଦିଲ୍ଲୀରେ ଡେରା ପକାଇଥିବାବେଳେ ମଙ୍ଗଳବାରଠାରୁ ଡେରା ପକାଇଛନ୍ତି ଶିବକୁମାର। ଶିବକୁମାର ଦୁଇଟି ସର୍ତ୍ତ ରଖିଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବେ ନଚେତ ବିଧାୟକ ହିଁ ରହିବେ । ସେ କୌଣସି ଦଳଦ୍ରୋହୀ କାର୍ଯ୍ୟ କରିବେ ନାହିଁ ।  ତେଣେ ଶିବକୁମାର- ସିଦ୍ଧରମୈୟା ବିବାଦ ମଧ୍ୟରେ ମୁଣ୍ଡ ଟେକିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର । ସେ କହିଛନ୍ତି ତାଙ୍କ ନିକଟରେ ୫୦ରୁ ଅଧିକ ବିଧାୟକ ରହିଛନ୍ତି । ତେବେ ଦଳୀୟ ଶୃଙ୍ଖଳା ତାଙ୍କ ଲାଗି ଅଧିକ ଗୁରୁତ୍ବପୂର୍ଣ୍ଣ ।