କର୍ଣ୍ଣାଟକରେ କଂଗ୍ରେସ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା । ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ଏହା ସହ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ଏସସି ବର୍ଗର ଜି. ପରମେଶ୍ବର ଓ କେଏଚ ମୁନିୟାପ୍ପା, ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ବର୍ଗର କେଜେ ଜର୍ଜ, ଲିଙ୍ଗାୟତ ସମ୍ପ୍ରଦାୟର ଏମବି ପାଟିଲ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ସେହିପରି ଏସଟି ବାଲ୍ମିକୀ ବର୍ଗର ସତୀଶ ଜାର୍କିଖୋଲି, ଏସସି ବର୍ଗର ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ, ରେଡ୍ଡୀ ବର୍ଗର ରାମଲିଙ୍ଗା ରେଡ୍ଡୀ, ସଂଖ୍ୟାଲଘୁ ମୁସଲିମ ବର୍ଗର ବିଜେ ଜମିର ଅହମ୍ମଦ ଖାନ ମଧ୍ୟ ଶପଥ ନେଇଛନ୍ତି । ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ।