ଆସନ୍ତାକାଲିଠାରୁ କର୍ଣ୍ଣାଟକରେ ସିଦ୍ଧରମୈୟା-ଶିବକୁମାରଙ୍କ ଶାସନ, ଶପଥଗ୍ରହଣ ଲାଗି ବ୍ୟାପକ ଆୟୋଜନ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକରେ ନୂଆ ସରକାର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ. ଶିବକୁମାର । ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ଶିବକୁମାର । ପ୍ରେସମିଟ୍ କରି ଦଳର କର୍ମକର୍ତ୍ତା ଓ ସମର୍ଥକଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ଡିକେଏସ୍ । ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ଗତକାଲି ସନ୍ଧ୍ୟାରେ ବସିଥିବା ବିଧାୟକ ଦଳ ବୈଠକରେ ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା । ବୈଠକରେ ପରେ ଉଭୟ ସିଦ୍ଧରମୈୟା ଓ ଶିବକୁମାର ରାଜ୍ୟପାଳ ଥାଓ୍ୱରଚାନ୍ଦ ଗେହଲଟଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଥିଲେ ।

ଶପଥଗ୍ରହଣ ଉତ୍ସବରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାଛଡ଼ା ଆରଜେଡିର ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରାଯାଇଛି । ସେପଟେ କ୍ୟାବିନେଟରେ କାହାକୁ କାହାକୁ ନିଆଯିବ ସେନେଇ ଆଲୋଚନା କରିବାକୁ ଆଜି ଦିଲ୍ଲୀ ଯାଇପାରନ୍ତି ଦୁଇ ନେତା ।