ମଧ୍ୟପ୍ରଦେଶ ପ୍ରଚାରରେ ‘ଆଳୁଚପ’ ନେତାଙ୍କ ପ୍ରଥମ ପସନ୍ଦ, ଖର୍ଚ୍ଚ ମାମଲାରେ ମାମା କଂଜୁସ

ଭୋପାଳ: ଆଉ କିଛି ଦିନ ପରେ ଭୋଟ ଦେବ ମଧ୍ୟପ୍ରଦେଶ  । ବିଜେପି କଂଗ୍ରେସ ସମେତ ନିର୍ବାଚନ ଲଢୁଥିବା ସମସ୍ତ ଦଳ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି  । ନିର୍ବାଚନ ପ୍ରଚାରରେ ଆଶାୟୀ ମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି  । ନଭେମ୍ବର ପ୍ରଥମ ସପ୍ତାହରେ ଦଳ ଓ ଆଶାୟୀ ଖର୍ଚ୍ଚ କରିଥିବା ଟଙ୍କାର ହିସାବ ଜାରି କରିଛି ନିର୍ବାଚନ ଆୟୋଗ  ।

ସେପଟେ ପ୍ରଚାରରେ ଖର୍ଚ୍ଚ ମାମଲାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ କଞ୍ଜୁସ ନଜର ଆସିଛନ୍ତି  । ହେଲେ ମନଖୋଲା ଖର୍ଚ୍ଚ କରିଛନ୍ତି କମଲନାଥ  । ବିଜେପି ସରକାର ଓ କଂଗ୍ରେସ ମିଳିମିଶି ସର୍ବମୋଟ ଏକ କୋଟି ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି  ।

ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନିର୍ବାଚନୀ ଖର୍ଚ୍ଚ ୯୫ ହଜାର ୯୨୦ ଟଙ୍କା ରହିଥିବାବେଳେ କମଲନାଥ ଖର୍ଚ୍ଚ କରିଛନ୍ତି ୩.୪୭ ଲକ୍ଷ ଟଙ୍କା  । ଆୟୋଗ ଜାରି କରିଥିବା ଲିଷ୍ଟ ଦେଖିଲେ ରାଜନେତାଙ୍କ ସ୍ନାକ୍ସ ପସନ୍ଦ ବୋଲି ଜଣାପଡିଛି  । ଅଧିକାଂଶ ମନ୍ତ୍ରୀ ଭୋଟରଙ୍କୁ ଆଳୁଚପ ବାଣ୍ଟି ପ୍ରଚାର କରିଛନ୍ତି  । କୃଷିମନ୍ତ୍ରୀ ୧୦ ହଜାର ଟଙ୍କାର ମଫଲର ବାଣ୍ଟିଥିବାବେଳେ ଆଳୁଚପରେ ୧୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି  । ସେହିପରି ମୁଖ୍ୟମନ୍ତ୍ରୀ ଗାମୁଛା ବାଣ୍ଟିବା ପାଇଁ ୨.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି  । କେନ୍ଦ୍ରମନ୍ତ୍ରୀ ଜ୍ୟୋଚିରାଦିତ୍ୟ ସିନ୍ଧିଆଙ୍କ ରାଲି ପାଇଁ ଦେଢ ଲକ୍ଷ ଖର୍ଚ୍ଚ ହୋଇଛି  ।

ଆଉ ଜଣେ ମନ୍ତ୍ରୀ ଜଳଖିଆ ପ୍ୟାକେଟରେ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ଚା ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି  । ସେପଟେ କଂଗ୍ରେସ ନେତା ପ୍ରଚାର ସମୟରେ ପୁରୀ ତରକାରୀ ବାଣ୍ଟିବା ସହ ବୁନ୍ଦିଲଡୁ ବି ବାଣ୍ଟିଛନ୍ତି  । କେବଳ ଚା ପାଇଁ ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି  ।