୧୧ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ, ଜୁନ୍ ୩୦‌ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ ଏବଂ ସପିଂମଲ୍‌

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍‌ ୧.୦ । ଲକ୍‌ଡାଉନ୍‌ ନିୟମରେ ଦେଶରେ କିଛି ମାତ୍ରାରେ କୋହଳ କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଥିଲା କି ଜୁନ୍‌ ୮ ତାରିଖରୁ ଦେଶରେ ସମସ୍ତ ଧର୍ମାନୁଷ୍ଠାନ ଏବଂ ସପିଂମଲ୍‌ରେ ତାଲା ଖୋଲାଯିବ । କିନ୍ତୁ, ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଏହାକୁ ଆଧାରକ କରି ସୋମବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକାଧିକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି ।

ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଏବେ ଖୋଲିବନି ମନ୍ଦିର, ସପିଂମଲ । ଜୁନ୍‌ ୩୦ ପର୍ଯ୍ୟନ୍ତ ରାଜ୍ୟରେ ମନ୍ଦିର, ସପିଂ ମଲ୍‌ ସବୁ ବନ୍ଦ ରହିବ । ଏହା ସହ ରାଜ୍ୟରେ ଜୁନ୍‌ ୩୦ ଯାଏଁ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଧାର୍ମିକ, ରାଜନୈତିକ ସଭା ସମିତି ମଧ୍ୟ ବନ୍ଦ ରହିବ ।  ସେପଟେ ଅନ୍‌ଲକ୍‌ ୧.୦ରେ ମଧ୍ୟ ରାଜ୍ୟରେ ଲକ୍‌ ରହିବ ହଲ୍‌, ଜିମ୍‌ ଏବଂ ବାର । ତେବେ, ରାଜ୍ୟରେ ଜୁଲାଇ ୩୧ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବ ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

ସେପଟେ ରାଜ୍ୟରେ ପଜିଟିଭ ସଂଖ୍ୟା ବଢ଼ୁଥିବା ଯୋଗୁଁ ୧୧ଟି ଜିଲ୍ଲାରେ ୨ଦିନ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ନୟାଗଡ଼,  ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ୧୧ ଜିଲ୍ଲା ପ୍ରତି ଶନିବାର, ରବିବାର ସଟଡାଉନ୍ ରହିବ । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରେସମିଟରେ କୁହାଯାଇଛି । ଛେପ ପକାଇଲେ ଜରିମାନାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ୩ଥର ପାଇଁ ୫ଶହ ଟଙ୍କା ଓ ପରେ ହଜାରେ ଟଙ୍କା ଆଦାୟ ହେବ ଜରିମାନା । ସେପଟେ ନିୟମ କଡାକଡ଼ି ପାଳନ ନେଇ ଡିଜିପି ଚେତାବନୀ ଦେଇଛନ୍ତି । କର୍ଫ୍ୟୁ ନିୟମକୁ ବାରମ୍ବାର ଭାଙ୍ଗିଲେ ଗିରଫ ହେବେ । ଆଜି ରାତିରୁ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ ନେଇ ସୂଚନା ଦେଇଛନ୍ତି ଡିଜିପି ।

Leave a Reply