ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର

1 min read

ପୁରୀ:  ଆସନ୍ତାକାଲି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏଥିପାଇଁ ସକାଳ ୮ଟା ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ବାରଣ କରାଯିବ । ରତ୍ନଭଣ୍ଡାର ଯାଞ୍ଚ କମିଟିର ୧୧ ଜଣିଆ ସଦସ୍ୟ ଭଣ୍ଡାର ଘରକୁ ପ୍ରବେଶ କରିବେ l ସକାଳ ୯ଟା ୫୧ରୁ ୧୨ ଟା ୧୫ ପର୍ଯ୍ୟନ୍ତ ଶୁଭବେଳା ରହିଛି । ସେହି ସମୟ ମଧ୍ୟରେ ପ୍ରବେଶ କରିବେ ଯାଞ୍ଚ କମିଟି ସଦସ୍ୟ । କମିଟି ସହ, ସ୍ନେକ ହେଲ୍ପଲାଇନ ସଦସ୍ୟ, ଓଡ୍ରାଫ ଟିମ, ଏନଡିଆରଏଫ ଟିମ ସହ ଯାହା ବି ସରଞ୍ଜାମ ଆବଶ୍ୟକ ରହିଛି, ତାହାକୁ ଭିତରକୁ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାରଙ୍କୁ ଖଟଶେଯ ଘରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରେ ରଖାଯିବ । ପରେ ଏଏସଆଇକୁ ରତ୍ନଭଣ୍ଡାର ମରାମତି କରିବାକୁ ଦିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ମରାମତି କରିବା ପରେ ରତ୍ନଗଣତି ପ୍ରକ୍ରିୟା କରାଯିବ ।

ପୂଜାପଣ୍ଡା ନିଯୋଗ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ସହ ସେବାୟତ କୂଳର ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ସମ୍ପର୍କରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଇନମନ୍ତ୍ରୀଙ୍କ ସହ ପୂଜାପଣ୍ଡା ନିଯୋଗ ଆଲୋଚନା କରିଛନ୍ତି । ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ନେଇ ଲାଗି ରହିଥିବା ଜମିଜମା ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯାଇ ଗୁରୁକୂଳ ପ୍ରତିଷ୍ଠା କରାଯିବ । ଗୁରୁକୂଳ ପାଇଁ ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ବେଳେ, ପୂର୍ବତନ ସରକାର ଅବଢା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ।