ଅନଲାଇନରେ ବିକ୍ରି ହେବ ନାହିଁ ଶ୍ରୀମନ୍ଦିର ମହାପ୍ରସାଦ

ନନ୍ଦିଘୋଷ ବ୍ୟୁରୋ: ଅନଲାଇନରେ ଶ୍ରୀମନ୍ଦିର ମହାପ୍ରସାଦ ବିକ୍ରିକୁ ନେଇ ଲାଗି ରହିଛି ବିବାଦ । ଏହାକୁ ନେଇ ତାଜା ସୂଚନା ଆସିଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଅନଲାଇନରେ ବିକ୍ରୀ ହେବ ନାହିଁ ଶ୍ରୀମନ୍ଦିର ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ।
ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । କିନ୍ତୁ ମହାପ୍ରସାଦର ପବିତ୍ରତା ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି । କାରଣ ଅନଲାଇନରେ ମହାପ୍ରସାଦ ବିକ୍ରି ହେଲେ ତାର ପବିତ୍ରତା ରହିବନି । ତେଣୁ ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତ ନାହାନ୍ତି । ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ । ମହାପ୍ରସାଦ ଅନଲାଇନ ବିତରଣ ହେଉନାହିଁ । ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସରକାର ରାଜି ନାହାନ୍ତି । ସେହିପରି ଅନ୍ୟ ମନ୍ଦିର ପ୍ରଶାସନକୁ ଅନୁରୋଧ ଯେ, ମନ୍ଦିର ପ୍ରସାଦକୁ ଅନଲାଇନରେ ହୋଟେଲ ଖାଦ୍ୟ ଭଳି ବିତରଣ କରନ୍ତୁ ନାହିଁ ।
ଅନ୍ୟପଟେ ଅବଢ଼ା ଚାର୍ଟକୁ ନେଇ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ । ଖୁବଶୀଘ୍ର ଅବଢ଼ା ଦର ଚାର୍ଟ ଲାଗୁ କରାଯିବ ଓ ଏ ନେଇ ବୈଠକ ସରିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।