ଆଜି ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ

ପୁରୀ : ଆଜି ମହାପ୍ରଭୁଙ୍କ ଅନବସରର ପଞ୍ଚମୀ ତିଥି । ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ । ବଡ଼ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲକୁ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ । ପରମ୍ପରା ଅନୁସାରେ ଏହି ସୁବାସିତ ତେଲ ପ୍ରସ୍ତୁତ ପାଇଁ ଏକ ବର୍ଷ ସମୟ ଲାଗିଥାଏ । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ହୋଇ ଫୁଲୁରୀ ତେଲ ପ୍ରସ୍ତୁତ ହୋଇଥାଏ ।

ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀନ୍ଦିରକୁ ପଠାଯାଇଥାଏ । ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିବେ ।