ବିପଦରେ ଶ୍ରୀମନ୍ଦିର ସୁରକ୍ଷା: କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍

1 min read

ବିପଦରେ ଶ୍ରୀମନ୍ଦିର ସୁରକ୍ଷା । କେତେବେଳେ ଭିତରକୁ ଯାଉଛି ଫୋନ୍ ତ ଆଉ କେତେବେଳେ ଉପରେ ଉଡିଛି ଡ୍ରୋନ୍ । ଏବେ ବାରମ୍ବାର ସ୍ପାଏ କ୍ୟାମ ଚଷମା ଦ୍ବାରା ଭିତର ଚିତ୍ର ଉତ୍ତୋଳନ ମନ୍ଦିର ପ୍ରଶାସନର ବଢାଇଛି ଚିନ୍ତା । ଏନେଇ ଶ୍ରୀମନ୍ଦିର ଆଇନ ୧୯୫୫ର ଧାରା ୩୦A ଉପଧାରା ୬ରୁ୯ ପର୍ଯ୍ୟନ୍ତ ସଂଶୋଧନ କରି କଡା ପଦକ୍ଷେପ ନେଇ ପ୍ରସ୍ତାବ ପାରିତ ହୋଇଛି l ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଭିତରେ ଫଟୋ କିମ୍ଭା ଭିଡ଼ିଓ ଉତ୍ତୋଳନ ପାଇଁ ୩ବର୍ଷ ସଶ୍ରମ କାରାଦଣ୍ଡ ବା ୨୦ହଜାର ଟଙ୍କାର ପାଇଁ ବ୍ୟବସ୍ଥା ରହିଛି । ବେଆଇନ ଡ୍ରୋନ ଉଡାଣ ନେଇ ୭ବର୍ଷ ଜେଲ ଅଥବା ୫୦ହଜାର ଟଙ୍କାର ଫାଇନ ରହିଛି l ଏଭଳି କଡା ଫାଇନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି l ଏପରିକି ସାମାଜିକ ଗଣ ମାଧ୍ୟମରେ ମହାପ୍ରଭୁଙ୍କୁ ନେଇ ଧାର୍ମିକ ବିରୋଧୀ ମନ୍ତବ୍ୟ ବା କୌଣସି ଫୋଟୋ ବା ଭିଡ଼ିଓ ପ୍ରଦଶ୍ରନକୁ ନେଇ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି l ଅନ୍ୟପକ୍ଷରେ ଏପରି ଆଇନ ବ୍ୟବସ୍ଥା ଶ୍ରୀମନ୍ଦିର ସୁରକ୍ଷା ନେଇ ପର୍ଯ୍ୟଟକ ଓ ଭକ୍ତ ମହଲରେ ସଚେତିତ ହେବା ସହ ଭୟ ରହିବ ବୋଲି ପୁରୀ ଏସ୍ପି ମତ ରଖିଛନ୍ତି  ।

ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକାତର ବିଷୟ । ଏହାକୁ ନେଇ ବହୁ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଚିନ୍ତିତ ମତାମତ ପ୍ରଦାନ କରାଯାଇଥିବା ସତ୍ୱେ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ହୋଇନାହିଁ  । ଶ୍ରୀମନ୍ଦିର ଉପରେ ନୋ ଫ୍ଲାୟିଙ୍ଗ ଜୋନ ଘୋଷଣା ସତ୍ୱେ ବେଆଇନ ଭାବେ ଡ୍ରୋନ ଉଡୁଥିବା ବେଳେ ଏହାକୁ ରୋକିବା ନେଇ ସେଭଳି କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏଥିସହ ମନ୍ଦିର ଭିତରର ଫଟୋ ଓ ଭିଡ଼ିଓ ଭାଇରାଲ ସତ୍ୱେ କେବଳ ନୋଟିସ ଦେଇ ପୋଲିସ ଚୁପ ବସୁଥିବା ନଜରକୁ ଆସିଛି l ଅନ୍ୟ ପକ୍ଷରେ ଶ୍ରୀମନ୍ଦିରରେ ବର୍ତ୍ତମାନ ସୁଦ୍ଧା ପରିଚାଳନା କମିଟି ଗଠନରେ ରାଜ୍ୟସରକାର ବିଫଳ ହୋଇଛନ୍ତି । ଏବେ ମନ୍ଦିର ସୁରକ୍ଷା ନେଇ ଆଇନ ସଂଶୋଧନ ଏକ ପ୍ରହଳିକା ବୋଲି ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ହୋଇନଥିବାବେଳେ ଏଥିରେ ଆହୁରି ଅଧିକ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବସ୍ଥାର ବ୍ୟବହାର ଆବଶ୍ୟକତା ରହିଛି l