ପୁଣିଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଆଲମିରା, ସିନ୍ଦୁକଗୁଡ଼ିକୁ କରାଯିବ ସ୍ଥାନାନ୍ତରଣ

ପୁରୀ : ଆଜି ପୁଣିଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ  ସ୍ଥାନାନ୍ତରଣ କରାଯିବ । ଏହାକୁ ନେଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯିବ । ଆଲମିରା, ସିନ୍ଦୁକଗୁଡ଼ିକୁ  ସ୍ଥାନାନ୍ତର କରିବା ପରେ  ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ । ରାଜ୍ଯସରକାର ଧାର୍ଯ୍ଯ କରିଥିବା ଏସଓପି ମାଧ୍ଯମରେ ଦିନ ଗୋଟାଏରୁ ଏହି କାର୍ଯ୍ଯ କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ନଉପୁଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି । ଦିନ ଗୋଟାଏରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଭକ୍ତମାନେ ମହାପ୍ରସାଦ ପାଇବାରେ କୌଣସି ସମସ୍ୟା ହେବନି । ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିପାରିବେ।  ଗତ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।