ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା: ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ

ଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ । ହତ୍ୟା ଅଭିଯୁକ୍ତ ତଥା ଲିଭଇନ ପାର୍ଟନର ଆଫତାବ ପୁନାଓ୍ବାଲା ବିରୋଧରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି । ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ, ଇଲେକ୍ଟ୍ରୋନିକ ଓ ଫରେନସିକ ପ୍ରମାଣ ଆଦି ଚାର୍ଜସିଟରେ ସଂଲଗ୍ନ ରହିଛି । ଏହାସହ ଆଫତାବର ନାର୍କୋ ଟେଷ୍ଟ, ସ୍ବୀକାରୋକ୍ତି ବି ଚାର୍ଜସିଟରେ ସ୍ଥାନୀତ ହୋଇଛି । ବିଭିନ୍ନ ଆଇନ ବିଶେଷଜ୍ଞଙ୍କ ଦ୍ବାରା ବର୍ତ୍ତମାନ ଚାର୍ଜସିଟର ସମୀକ୍ଷା କରାଯାଉଥିବା ସୂଚନା ମିଳିଛି ।

ଗତବର୍ଷ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀ ମେହରୁଲି ଜଙ୍ଗଲରେ ଫୋପାଡି଼ ଦେଇଥିଲା କିଲର ଲଭର । ହତ୍ୟାରେ ବ୍ୟବହୃତ ହୋଇଥିବା କରତ ଓ ବ୍ଲେଡକୁ ଗୁରୁଗ୍ରାମର ଜଙ୍ଗଲିଆ ସ୍ଥାନରେ ଫୋପାଡି ଥିଲା ଆଫତାବ । ଗତ ଡିସେମ୍ବରରେ ମିଳିଥିବା ଅସ୍ଥିଗୁଡିକର ଡିଏନଏ ଟେଷ୍ଟରୁ ଏହା ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଥିଲା । ହତ୍ୟା ଅଭିଯୋଗ ଆସିବା ପରେ ଆଫତାବକୁ ନଭେମ୍ବର ୧୨ ତାରିଖରେ ଗିରଫ କରାଯାଇଥିଲା । ସେହିଦିନଠାରୁ ସେ ବିଚାର ବିଭାଗୀୟ ହେପାଜତରେ ରହିଛି ।