ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲା, କଟାଅଙ୍ଗ ଠାବ ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ

1 min read

ନୂଆଦିଲ୍ଲୀ: ଲିଭ-ଇନ ପାର୍ଟନର ଶ୍ରଦ୍ଧା ଓ୍ୱାକରଙ୍କ ଶରୀରର କଟା ଅଂଶ ପଡ଼ିଛି କେଉଁଠି? କେଉଁ କେଉଁ ଅଞ୍ଚଳରେ କଟା ଅଙ୍ଗ ଫୋପାଡିଛି ହତ୍ୟା ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ବାଲା? ଏନେଇ ଦିଲ୍ଲୀ ପୋଲିସ ଆରମ୍ଭ କରିଛି ସର୍ଚ୍ଚ ଅପରେସନ । ଏଥିରେ ସାମିଲ ହେବା ଲାଗି ପୋଲିସର ସମସ୍ତ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ ମାସରେ ଘଟିଥିବା ଲୋମହର୍ଷକ ହତ୍ୟାକାଣ୍ଡ ପରେ ଅଫତାବ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡିଥିଲା । ସେହି ଅଂଶଗୁଡ଼ିକୁ ବର୍ତ୍ତମାନ ଠାବ କରିବା କଷ୍ଟକର ହୋଇଥିବାବେଳେ ପୋଲିସ ଏହି ଚାଲେଞ୍ଜକୁ ଗ୍ରହଣ କରିଛି । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବି ଗୁରୁଗ୍ରାମ ଯାଇ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଏପରିକି ୧୫ ଜିଲ୍ଲାରେ ଅବସ୍ଥାପିତ ୧୭୮ ପୋଲିସ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଗତ ମେ ମାସରେ ହତ୍ୟାକାଣ୍ଡ ପରେ ଶ୍ରଦ୍ଧାଙ୍କ ଶରୀରର ବିଭିନ୍ନ ଅଂଶକୁ ଅଫତାବ ମେ, ଜୁନ, ଜୁଲାଇ ମଧ୍ୟରେ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ଗତ ସପ୍ତାହରେ ମେହରୁଲି ଅଞ୍ଚଳରୁ ପ୍ରାୟ ୧୦ ବ୍ୟାଗ ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା । ସେପଟେ ଅଧିକ ଜେରା ଲାଗି ଅଫତାବକୁ ପୋଲିସ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ନେବ ବୋଲି ସୂଚନା ମିଳିଛି । ଗତ ଜୁନରେ ତ୍ରିଲୋକପୁରୀ ଅଞ୍ଚଳରେ ପୋଲିସ ଏକ କଟାମୁଣ୍ଡ ଓ କଟା ହାତ ଜବତ କରିଥିବା ଘଟଣା ସହ ଏହି ଘଟଣାର ସମ୍ପର୍କ ଥିବା ଆଶଙ୍କା କରୁଛି ପୋଲିସ ।

ସେପଟେ ପଦାକୁ ଆସିଲା ଶ୍ରଦ୍ଧାଙ୍କ ଆହତ ଅବସ୍ଥାର ଫଟୋ । ତାଙ୍କ ନାକରେ ଦାଗ ଥିବା ସହ ମୁହଁରେ କେତେକ ମାଡ ଚିହ୍ନ ଥିବା ଫଟୋରେ ସ୍ପଷ୍ଟ ହୋଇଛି । ତେଣେ ଗତ ମେ ୧୮ ତାରିଖରେ ମାରିଜୁଆନା ଖାଇ ଶ୍ରଦ୍ଧାଙ୍କ ବେକକୁ ଚିପି ଦେଇଥିଲା ବୋଲି ସ୍ୱୀକାର କରିଛି ଅଫତାବ । ମୁମ୍ବାଇରୁ ଦିଲ୍ଲୀକୁ ଆସିବା ପରେ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ଏବଂ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ଲାଗି ମୁମ୍ବାଇର ଭାସାଇକୁ ଯାଇଛି ଦିଲ୍ଲୀ ପୋଲସର ଏକ ଟିମ୍ ।