ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା, ଜବତ ଅସ୍ଥିର ଆସିଲା ଅଟୋପ୍ସି ରିପୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା । ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଶ୍ରଦ୍ଧାଙ୍କ ଅସ୍ଥିର ଆସିଲା ଅଟୋପ୍ସି ରିପୋର୍ଟ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଲିଭ୍ ଇନ୍ ପାର୍ଟନର ତଥା ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ତାଙ୍କ ଶରୀରକୁ କରତରେ କାଟିଥିଲା । ଗତବର୍ଷ ମେ’ ମାସରେ ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ସଂଗ୍ରହ କରିଥିଲା ୨୩ ଖଣ୍ଡ ଅସ୍ଥି । ଏହି ଅସ୍ଥି ଖଣ୍ଡଗୁଡିକର ପୋଷ୍ଟମର୍ଟମ ଆନାଲିସିସ ଦିଲ୍ଲୀ ଏମସରେ କରାଯାଇଥିଲା ।

ସେପଟେ ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ଶ୍ରଦ୍ଧା ହତ୍ୟା ମାମଲାର ଚାର୍ଜସିଟ ସାକେତ କୋର୍ଟରେ ଦାଖଲ ହେବ ବୋଲି ସୂଚନା ମିଳିଛି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫତାବ ଏକ କରତ ଆଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ପରେ ସେଗୁଡିକୁ ନେଇ ମେହରୁଲି ଜଙ୍ଗଲରେ ଫୋପାଡିଥିଲା । ପ୍ରଥମ ପର୍ଯ୍ୟାୟରେ ଶ୍ରଦ୍ଧାଙ୍କ ଅସ୍ଥିଗୁଡିକର ଡିଏନଏ ସହ ତାଙ୍କ ବାପାଙ୍କ ଡିଏନଏ ମେଳ ଖାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ଆଫତାବର ପଲିଗ୍ରାଫ ଓ ନାର୍କୋଟେଷ୍ଟ କରିଥିଲା ଦିଲ୍ଲୀ ପୋଲିସ । ଗତ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ଆଫତାବ ହତ୍ୟା କରିଥିଲା ଏବଂ ଶରୀରକୁ ୩୫ ଖଣ୍ଡ କରି ଏକ ୩୦୦ ଲିଟର ଫ୍ରିଜରେ ରଖିଥିଲା । ପରେ ଶରୀର ଖଣ୍ଡଗୁଡିକୁ ବିଭିନ୍ନ ସ୍ଥାନରେ ଫୋପାଡିଥିଲା ।