ଲିଙ୍ଗରାଜ ମନ୍ଦିର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ !

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ବିବାଦ ପରେ ଆକ୍ସନ ମୋଡକୁ ଆସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସଂପୃକ୍ତ ସେବାୟତ ତଥା ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି ହେବ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ର ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି । ଟ୍ରଷ୍ଟବୋର୍ଡ ବୈଠକରେ ଏନେଇ ଆଲୋଚନା ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ ମହାନ୍ତି । ଅନ୍ଯପଟେ ଏଣିକି ସିଂହଦ୍ବାର ନିକଟରେ କଡା ଚେକିଂ କରାଯିବ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ଚେକିଂ କଡ଼ାକଡି ହେବ । ସେବାୟତମାନେ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ଗତକାଲି ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।

ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି । ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ପ୍ରଶ୍ରୟ ଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି।