ମିଟିଂ ବେଳେ ହସିଦେଲେ ବୋଲି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ !

ବାଲେଶ୍ୱର: ହସିଦେଲେ ବୋଲି କାରଣ ଦର୍ଶାଅ ନୋଟିସ। ପ୍ରତିବାଦରେ ଧାରଣାରେ ବସିଲେ ଜେଇ। ବାଲିଆପାଳ ବ୍ଲକ୍‌ର କାର୍ଯ୍ୟରତ ଜେଇ ମିହିର ପଣ୍ଡାଙ୍କୁ ଡ଼ିଆରଡ଼ିଏର ପିଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବାରୁ ଆଜି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି। କୌଣସି କାରଣ ନଥାଇ କାରଣ ଦର୍ଶାଅ ନୋଟିସ୍‌ କାହିଁକି ଜାରି କରାଗଲା ବୋଲି କହିଛନ୍ତି ଜେଇ ମିହିର।

ସୂଚନା ମୁତାବକ ବନ୍ୟା ପରିସ୍ଥିତିକୁ ନେଇ ବୈଠକ ଚାଲିଥିବାବେଳେ, ଖାଇବା ମିଲ୍‌କୁ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ଜେଇ ମିହିର ପଣ୍ଡା ହସି ଦେଇଥିଲେ । ଏହି କାରଣକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ମିଛରେ ସେ ନିଶାସକ୍ତ ହୋଇ ବୈଠକକୁ ଆସିଥିବା ଦର୍ଶାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମିହିର।

ସେପଟେ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜେଇ ମିହିର ପଣ୍ଡା ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ଧାରଣାରେ ବସିବାର ଘଣ୍ଟାକ ପରେ ମିହିର ଅଫିସ୍‌ ଛାଡ଼ି ପଳାଇ ଯାଇଥିଲେ ।