ନୂଆଦିଲ୍ଲୀରେ ସରିଲାଣି ୯୦ ଭାଗ କୋଭିଡ୍ ICU ବେଡ୍; ସ୍ଥିତି ସଙ୍ଗୀନ ତଥାପି ଲାଗୁ ହେବନି ଲକଡାଉନ୍

ନୂଆଦିଲ୍ଲୀ: କରୋନା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସକ୍ରିୟ ହୋଇଛି । କିଛି ଦିନ ଧରି ଦେଶର ପ୍ରାୟ ସବୁ ପ୍ରାନ୍ତରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦିଲ୍ଲୀ ପୁଣିଥରେ ବେଲଗାମ ହୋଇଯିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇଛି । ଦିଲ୍ଲୀର ସାଂପ୍ରତିକ କରୋନାସ୍ଥିତି ଉପରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା କହିଛନ୍ତି ଯେ, କରୋନା ସଂକ୍ରମଣ ବଢିବା ପରେ ଏବେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

ପ୍ରାୟ ୯୦ ପ୍ରତିଶତ ଆଇସିୟୁ ବେଡରେ ଭର୍ତ୍ତି ହୋଇ ସାରିଲାଣି । କେନ୍ଦ୍ର ସରକାର ୭୫୦ ଆଇସିୟୁ ବେଜ୍ ରାଜ୍ୟକୁ ଦେବେ । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ୨୫୦ ଆଇସିୟୁ ବେଡର ସୁବିଧା କରାଯାଉଛି । ସେହିଭଳି ପ୍ରାୟ ୨୬ ହଜାର କରୋନା ସଂକ୍ରମିତ କେବଳ ହୋମ୍ ଆଇସୋଲେସନରେ ରହିଛନ୍ତି ।ତେବେ ଦିଲ୍ଲୀକୁ ଲକଡାଉନ୍ କରିବା ନେଇ ହେଉଥିବା ଅଲୋଚନା ଉପରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ କହିଛନ୍ତି ଲକଡାଉନ ଆଣି ପୁଣି ଥରେ ଆର୍ଥିକ ସ୍ଥିତିକୁ ମାନ୍ଦା କରିବା ସପକ୍ଷରେ ସରକାର ଆଦୌ ନାହାନ୍ତି । ମାତ୍ର ଆବଶ୍ୟକତା ଦୃଷ୍ଟି କିଛି ବଜାରରେ ମାତ୍ରାଧିକ ଗହଳି ଦେଖିଲେ, ସେସବୁକୁ ସିଲ୍ କରିବା ଉପରେ ବିଚାର କରାଯାଇପାରେ ।

ତେବେ କିଛି ନିର୍ଦ୍ଦିଷ୍ଟ ମାତ୍ରାଧିକ ଗହଳି ହେଉଥିବା ଅଞ୍ଚଳକୁ ସାମୟିକ ଭାବେ ବନ୍ଦ କରିବା ଉପରେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ତାଲିକା ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଅଞ୍ଚଳରେ କଟକଣା ଲାଗିବ  । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ଶେଷ ୨୪ ଘଣ୍ଟାରେ ୬୩୯୬ ମାମଲା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Leave a Reply